ପୁରୀର ବିକାଶ ପାଇଁ ୫ ଶହ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ପୁରୀ: ପୁରୀର ଭିତ୍ତିଭୂମି ବିକାଶ ଲାଗି ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

୫୦୦ କୋଟି ଟଙ୍କାରେ ପୁରୀ ସହରରେ ନୂଆ ରାସ୍ତା, ସେତୁ, ପାର୍କିଂ ପ୍ଲେସ୍‌ ସମେତ ସହରର ଅନେକ ବିକାଶ କରାଯିବ। ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସଂଯୋଗ କରିବା ଲାଗି ୧୯୦ କୋଟି ଟଙ୍କା ବ୍ୟୟରେ ଶ୍ରୀସେତୁ ନିର୍ମାଣ ହେବ। ଏହାସହ ଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ ପ୍ଲେସ୍‌, ୧୦ ହଜାର ଲୋକଙ୍କ ପାଇଁ ମେଡିଟେସନ୍‌ ସେଣ୍ଟର ଓ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏ ବାବଦରେ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସେହିପରି ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଆସୁଥିବା ମଠ ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଅବଢ଼ା ଯୋଜନାରେ ମଠ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ସହଯୋଗ କରିବେ। ନିରାପତ୍ତା ବଳୟ ଭିତରେ ଥିବା ଦୋକାନ ଓ ଘରକୁ ମଧ୍ୟ ସ୍ଥାନାନ୍ତର କରାଯିବ। ଏଥିପାଇଁ ସରକାର ଘର ଯୋଗାଇ ଦେବେ।

ଏହା ବ୍ୟତୀତ ମୂଷା ନଦୀକୁ ମଙ୍ଗଳା ନଦୀ ସହ ସଂଯୋଗ କରାଯିବା ସହ ମୂଷା ନଦୀ କୂଳରେ ପର୍ଯ୍ୟଟନର ବିକାଶ ପାଇଁ ୮୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଅନ୍ୟପକ୍ଷରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଠରନଳାର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।

ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ପୁରୀର ବିକାଶ କାର୍ଯ୍ୟର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଆଇନ ମନ୍ତ୍ରୀ, ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ DIG ପ୍ରମୁଖ ଉପସ୍ଥିତ ଥିଲେ।

You might also like