‘ପିଠା’ ପରେ ‘କାଳିଆ’ ; କୃଷି ଋଣ ଛାଡ଼ ଚର୍ଚ୍ଚା ଭିତରେ ଚାଷୀଙ୍କୁ ନିର୍ବାଚନୀ ଥୋପ

ଭୁବନେଶ୍ୱର : ‘ପିଠା’ ପରେ ‘କାଳିଆ’। ରାଜ୍ୟର ଚାଷ ଓ ଚାଷୀଙ୍କ ପାଇଁ ସରକାର ଘୋଷଣା କରିଛନ୍ତି ନୂଆ ଯୋଜନା- କୃଷକ ଆସିଷ୍ଟାନ୍ସ ଫର୍ ଲାଇଭ୍‌ଲିହୁଡ୍ ଆଣ୍ଡ ଇନ୍‌କମ୍ ଅଗ୍‌ମେଣ୍ଟେସନ୍ (କାଳିଆ)।

ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନୂଆ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ‘କାଳିଆ’ ଯୋଜନାରେ ରାଜ୍ୟ ଚାଷ କ୍ଷେତ୍ର, ଚାଷୀ ଓ ଭୂମିହୀନ ଶ୍ରମିକଙ୍କ ଲାଗି ଭିନ୍ନ ଭିନ୍ନ ଆର୍ଥିକ ସହାୟତା ଘୋଷଣା କରାଯାଇଛି।

ଚାଷୀ, ଭାଗ ଚାଷୀ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଯୋଜନାରେ ସହାୟତା ମିଳିବ। ଏ ଯୋଜନାରେ ପ୍ରତି ବର୍ଷ ଚାଷୀ ପରିବାରକୁ ଖରିଫ ଋତୁ ପାଇଁ ୫ ହଜାର ଓ ରବି ଋତୁ ପାଇଁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଏହି ଟଙ୍କାରେ ବିହନ, ସାର, କୀଟନାଶକ ଆଦି କିଣି ପାରିବ। ସେହିଭଳି ଚାଷ ଜମି ନଥିବା କୃଷକଙ୍କୁ ଛେଳି, ବତକ ପାଳନ, ମାଛ ଚାଷ ପାଇଁ ବି ସହାୟତା ମିଳିବ। ଏ ଯୋଜନାରେ ପରିବାର ପିଛା ୧୨, ୫୦୦ ଟଙ୍କା ସହାୟତା ମିଳିବ। ସେହିଭଳି ଭୂମିହୀନ ଶ୍ରମିକ ଓ ସାମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାରକୁ ଚାଷ ଓ ଜୀବିକା ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ମିଳିବ। ଏଥିପାଇଁ ପଞ୍ଚାୟତ ମାଧ୍ୟମରେ ହିତାଧୀକାରୀ ଚୟନ କରାଯିବ।

ସେହିଭଳି ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ବୀମା ଓ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କା ବୀମା ସୁବିଧା ମଧ୍ୟ ଯୋଗାଇ ଦେବେ ସରକାର। ଏହା ସାଙ୍ଗକୁ ଚାଷୀଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କାର ଫସଲ ଋଣ ମଧ୍ୟ ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି।

‘କାଳିଆ’ ଯୋଜନାରେ ପ୍ରାୟ ୧୦ ହଜାର କୋଟି ବ୍ୟୟ ହେବାକୁ ଥିବା ବେଳେ ଆସନ୍ତା ତିନି ବର୍ଷ ପାଇଁ ଏହାକୁ ଲାଗୁ କରାଯିବ। ଏହି ଯୋଜନାରେ ହିତାଧୀକାରୀମାନେ ଡାଇରେକ୍ଟ ବେନିଫିଟ୍  ଟ୍ରାନସଫର ମୋଡରେ ସହାୟତା ମିଳିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

You might also like