କରୋନା ମୁକାବିଲା ପାଇଁ ପିଲାଛୁଆଙ୍କ ନାଁରେ ଶପଥ ନେଲେ ନବୀନ
ଭୁବନେଶ୍ୱର: ସୁଦୂର ଚୀନରୁ ଆସି କିଲର କରୋନା ଭାଇରସ୍ ଆମ ଘର ପାଖରେ ପହଞ୍ଚି ଗଲାଣି। ହେଲେ ଏହାକୁ ଘର ଭିତରକୁ ପଶିବାକୁ ଦେବା ନାହିଁ। ସେଥିପାଇଁ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଟ୍ୱିଟ କରି ନିବେଦନ କରିଛନ୍ତି।
ମହାମାରୀ କରୋନାର ଭୟାବହତା ଦେଖିବା ପରେ ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟାଭିଡ଼ିଛନ୍ତି। ସାରା ଦେଶକୁ ୩ ସପ୍ତାହ ପାଇଁ ଲକ୍ଡାଉନ ଘୋଷଣା କରିଛନ୍ତି ପ୍ରାଧାନମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଆସନ୍ତା ମାର୍ଚ୍ଚ ୩୧ ଯାଏ ଲକଡାଉନ୍ ଘୋଷଣା କରିଥିଲେ।
ପ୍ରଧାନମନ୍ତ୍ରୀ ସାରା ଭାରତକୁ ୨୧ ଦିନ ପାଇଁ ଅର୍ଥାତ ଏପ୍ରିଲ ୧୪ ଯାଏ ଲକଡାଉନ୍ ଘୋଷଣା କରିଛନ୍ତି। ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍ରରେ ଲେଖା ସହ ଭିଡିଓ ଜାରି କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ମୁଁ ମୋର ପିଲାଛୁଆ, ବାପାମା’ଙ୍କ ନାମରେ ଶପଥ କରି କହୁଛି ଯେ, ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ। ବାହାରକୁ ଗଲେ କରୋନା ଭାଇରସ ମୋ ସାଥିରେ ମୋ ଘରକୁ ଆସି ପାରେ ଏବଂ ମୋ ପରିବାରର କ୍ଷତି କରିପାରେ।’
ଅନେକ ରିଟ୍ୱିଟ୍ କରି ନବୀନଙ୍କ ଏହି ଆହ୍ୱାନକୁ ସମର୍ଥନ କରିଛନ୍ତି।
ମୁଁ ମୋର ପିଲାଛୁଆ, ବାପାମା’ଙ୍କ ନାମରେ ଶପଥ କରି କହୁଛି ଯେ; ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ। ବାହାରକୁ ଗଲେ କରୋନା ଭାଇରସ ମୋ ସାଥିରେ ମୋ ଘରକୁ ଆସି ପାରେ ଏବଂ ମୋ ପରିବାରର କ୍ଷତି କରିପାରେ। ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ। #MoJeebana pic.twitter.com/PE7ZYQLrpG
— Naveen Patnaik (@Naveen_Odisha) March 24, 2020
ଏହି ପରିପ୍ରେକ୍ଷୀରେ ସେ ‘ମୋ ଜୀବନ’ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଏବେ ଚୀନ ଓ ଆମେରିକା ଡେଇଁ ଭାରତରେ ପହଞ୍ଚିଛି। ଆମ ଘର ପାଖରେ କରୋନା ପହଞ୍ଚିଲାଣି। ସତର୍କ ନହେଲେ ଘରକୁ ପଶିଯିବ। ଏଭଳି ସ୍ଥିତିରେ ଆମେ ନିଜ ପିଲାଛୁଆ ଓ ବାପାମାଙ୍କ ନାଁରେ ଶପଥ ନେବା। କହିବା, ମୁଁ ଶପଥ କରି କହୁଛି ଅତି ଜରୁରୀ କାମ ନଥିଲେ ବାହାରକୁ ଯିବିନି। ବାହାରୁ ଆସିଲେ ଭଲଭାବେ ୨୦ ସେକେଣ୍ଡ ହାତ ଧୋଇବି। ଏମିତି ଶପଥ ଦୈନିକ ଘରର ସମସ୍ତେ ନିଅନ୍ତୁ ଓ କାନ୍ଥରେ ଲେଖି ଲଗାନ୍ତୁ। ଶପଥ ଭିଡିଓ ସୋଶାଲ ମିଡିଆରେ ମୋ ପାଖକୁ ପଠାନ୍ତୁ।”
ସେପଟେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୫ରେ ପହଞ୍ଚିଥିବା ବେଳେ ୧୦ରେ ମୃତ୍ୟୁ ସଂଖ୍ୟା ପହଞ୍ଚିଛି।