ବହୁ ପ୍ରତୀକ୍ଷିତ ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପିତ

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ବଲାଙ୍ଗିର : ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ବଲାଙ୍ଗିର ମେଡିକାଲ କଲେଜ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଏହାକୁ ଉଦ୍‌ଘାଟନ କରିଛନ୍ତି। ସନ୍ଥ କବି ଭୀମ ଭୋଇଙ୍କ ନାଁରେ ନାମିତ କରାଯାଇଛି। ଏହି ମେଡିକାଲ କଲେଜ ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା ରାଜ୍ୟ ଯୋଜନା ସହ ଅାୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ଲାଗି ଅନୁରୋଧ କରିଛନ୍ତି।

ଏହାଦ୍ୱାରା ରାଜ୍ୟର ଗରିବ ରୋଗୀ ଉପକୃତ ହେବେ। ସେମାନେ ସାରା ଦେଶରେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ। ରାଜ୍ୟର ୫ଟି ମେଡିକାଲ କଲେଜରେ ଅମୃତ ଦିନଦୟାଲ ଷ୍ଟୋର, ଜନଔଷଧି କେନ୍ଦ୍ର ଖୋଲିବାକୁ ମଧ୍ୟ ନଡ୍ଡା ଅନୁରୋଧ କରିଛନ୍ତି। ସେହିପରି ଦେଶର ୫୦୦ ଜିଲ୍ଲାରେ ପିପିପି ମୋଡରେ ପ୍ରଧାନମନ୍ତ୍ରୀ ଡାଏଲିସିସ୍ ଯୋଜନା କାର୍ଯ୍ୟକାରୀ ହେଉଛି। ଓଡ଼ିଶାର ସବୁ ଜିଲ୍ଲାରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ଲାଗି କହିଛନ୍ତି ନଡ୍ଡା।

ଅାଜିର ଉଦ୍‌ଘାଟନୀ ଉତ୍ସବରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ, ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।  ମେଡିକାଲ କଲେଜ ଉଦଘାଟନକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ହୋଇଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ କେନ୍ଦ୍ର କୋଟାରେ ୧୫ ଓ ରାଜ୍ୟ କୋଟାରେ ୮୫ଜଣ, ଏମିତି ମୋଟ୍ ୧୦୦ ଜଣ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍ତି।

You might also like