ସଂକ୍ରମଣ କମିବା ପାଇଁ ଯାହା ପଦକ୍ଷେପ ନେବା କଥା ତୁରନ୍ତ ନିଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଅଛି କୋଭିଡ୍ ସଂକ୍ରମଣ ସ୍ଥିତି । ଓଡ଼ିଶାରେ ସଂକ୍ରମଣ ମେ’ ୧୩ ତାରିଖରେ ସର୍ବାଧିକ ଥିଲା । ତାପରଠାରୁ ଏହା କମିବାରେ ଲାଗିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପଜିଟିଭିଟି ରେଟ୍ ଗତ ସପ୍ତାହରେ ୨୧ ପ୍ରତିଶତ ଥିବା ବେଳେ ଏବେ ଏହା ୧୮ ପ୍ରତିଶତକୁ କମିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ଓ ଲକଡାଉନ୍ ପାଇଁ ଏହା ସମ୍ଭବପର ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ସଂଧ୍ୟାରେ ରାଜ୍ୟର କୋଭିଡ୍ ସ୍ଥିତି ନେଇ ସମୀକ୍ଷା ପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମୃତ୍ୟୁହାର ୦.୪୦ରୁ ହ୍ରାସ ପାଇ ୦.୩୭ରେ ପହଞ୍ଚିଛି । ଗତ ୧୫ ଦିନର ମୃତ୍ୟୁହାରକୁ ଲକ୍ଷ୍ୟ କଲେ ଏହା ୦.୧୬ ପ୍ରତିଶତ ଏବଂ ଯାହାକି ସାରା ଭାରତରେ ସର୍ବନିମ୍ନ ।

ଅନ୍ୟପଟେ ଆଗାମୀ ସପ୍ତାହ ମଧ୍ୟରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡ଼ା ରାଜ୍ୟରେ ଖୁବଶୀଘ୍ର ଆଉ ୩୬୮ଟି ICU ବେଡ ବ୍ୟବସ୍ଥା କରାଯିବ । ତେବେ ରାଜ୍ୟରେ ଆଉ ପ୍ଲାଜମା ଥେରାପି କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରୋଗୀଙ୍କ ଅବସ୍ଥା ସମ୍ପର୍କରେ ସମ୍ପର୍କୀୟଙ୍କୁ ସଠିକ୍ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ର ମାନଙ୍କରେ ସାମାଜିକ ଦୂରତା ରକ୍ଷା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଏହାସହ ସଂକ୍ରମଣ ହାରକୁ ସଂପୂର୍ଣ୍ଣ କମାଇବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରାଯାଇଥିବା କହିଛନ୍ତି । ସଂକ୍ରମଣ ରୋକିବାକୁ ମେ’ ୨୪ରୁ ଆରମ୍ଭ ହେବାକୁ ଥିବା ସର୍ଭେ ଯେପରି ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ, ତାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ସର୍ବଦଳୀୟ ବୈଠକରେ ସେ ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିରେ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତିକୁ ସକ୍ରିୟ ଭାବେ ସାମିଲ ହେବ । କୋଭିଡ୍ ଗାଇଡଲାଇନ୍ ପାଳନ କରିବା ସହ ଅନାବଶ୍ୟକ ବାହାରେ ବୁଲିବା ବନ୍ଦ କରିଦେଲେ କରୋନା ଲଢ଼େଇକୁ ନିଶ୍ଚିତ ଜିତିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଥିଲେ ଯେ, ଲକଡାଉନର ସୁଫଳ ମିଳିଥିବାରୁ ଏହାକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି । ଜିଲ୍ଲାପାଳମାନେ ହେଲ୍ପ ଡେସ୍କଗୁଡ଼ିକୁ ଉତ୍ତମ ଭାବେ ତଦାରଖ କରୁଛନ୍ତି । ଅକ୍ସିଜେନ୍ ଲଜିଷ୍ଟିକ ବ୍ୟବସ୍ଥାର ୨୪ ଘଣ୍ଟିଆ ତଦାରଖ କରାଯାଉଛି । ୨୪ରୁ ଘରକୁ ଘର ସର୍ଭେ ଆରମ୍ଭ କରାଯିବ । ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ, ପୁଲିସ ଡିଜି ଓ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ଥିବା କୋଭିଡ୍ ପର୍ଯ୍ୟବେକ୍ଷକମାନେ ସାମିଲ ହୋଇଥିଲେ।

You might also like