୩୦ ଫୁଟ ତଳକୁ ଖସି ଯାଇଥାନ୍ତା ବସ୍‌, ଅଳ୍ପକେ ବର୍ତ୍ତିଗଲେ ୫୦ ଯାତ୍ରୀ

ମୋହନା(ମିହିର ଯତି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖେମୁଣ୍ଡିଖୋଲ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ବ୍ରିଜ୍‌ରେ ଧକ୍କା ହେବାପରେ ବସ୍‌ର ଗୋଟିଏ ପଟ ବ୍ରିଜ୍‌ ତଳକୁ ଝୁଲି ରହିଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବସ୍‌ର ହେଲ୍‌ପର୍‌ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ବସ୍‌ଟି ଅନ୍ତରବାରୁ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ଧରି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଖେମୁଣ୍ଡିଖୋଲ ନିକଟରେ ସାମ୍ନା ପଟୁ ଏକ ଟ୍ରକ୍‌ ଆସିବାରୁ ଦ୍ରୁତ ଗତିରେ ଥିବା ବସ୍‌ଟି ବ୍ରିଜ୍‌ରେ ଧକ୍କା ହୋଇଯାଇଥିଲା। ଫଳରେ ବସ୍‌ର ଗୋଟିଏ ପଟ ବ୍ରିଜ୍‌ ତଳକୁ ଝୁଲି ରହିଥିଲା। ସୌଭାଗ୍ୟବଶତଃ, ୫୦ ଜଣ ଯାତ୍ରୀ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ନହେଲେ ବସ୍‌ଟି ପୋଲରୁ ୩୦ ଫୁଟ ତଳକୁ ଖସି ଯାଇଥାନ୍ତା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କେବଳ ହେଲ୍‌ପର୍‌ ଆହତ ହୋଇଛନ୍ତି।

ଯେହେତୁ ବ୍ରିଜ୍‌ଟି ଅଣଓସାରିଆ ଓ ବସ୍‌ଟି ବ୍ରିଜ୍‌ ଉପରେ ଅଧା ଝୁଲି ରହିଛି ତେଣୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଛୋଟ ଛୋଟ ଗାଡ଼ି ଚଳାଚଳ କରୁଥିବା ବେଳେ ବଡ଼ ବଡ଼ ଗାଡ଼ି ସବୁ ଅଟକି ରହିଛି।

You might also like