ବଲାଙ୍ଗିର : ଗୋଟିଏ ପଟେ ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ବିଭିନ୍ନ ସଚେତନତା ସୃଷ୍ଟି କରୁଛନ୍ତି ସରକାର। କହୁଛନ୍ତି ବିନା ଲାଇସେନ୍ସରେ ମାନବ ଚାଲାଣ ବେଆଇନ। କିନ୍ତୁ ଲାଇସେନ୍ସ ଦେବାକୁ ଶ୍ରମ ବିଭାଗରେ କିଭଳି ଚାଲିଛି ଭିତିରିଆ କଳା କାରବାର, ତାର ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି। ତା ପୁଣି ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାରୁ।
ଆଇନଗତ ଭାବେ ଶ୍ରମିକ ପଠାଇବା ପାଇଁ ଲାଇସେନ୍ସ ଦେବାକୁ ଲାଞ୍ଚ ନେଉଛନ୍ତି ବଲାଙ୍ଗିର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ। ଲାଂଚ ନେବାର ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି ଜଣେ ସମାଜ ସେବୀ। ଲାଇସେନ୍ସ ପାଇଁ ହଜାରେ ଟଙ୍କା ଲାଞ୍ଚ ନେଉଥିବା କିରାଣୀଙ୍କ ନାଁ ବଲ୍ଲଭ ନାଗ।
ସୂଚନା ଅନୁସାରେ, ସମସ୍ତ ଡକ୍ୟୁମେଣ୍ଟ ଦେବା ସତ୍ତ୍ୱେ ଲାଇସେନ୍ସ ଦେବାକୁ ସପ୍ତାହେ ସମୟ ଲାଗିବ ବୋଲି କିରାଣୀ କହିଥିଲେ। ପରେ ଟଙ୍କା ନଦେଲେ କୌଣସି କାମ ହୁଏ ବୋଲି ପ୍ରଶ୍ନ କରିଥିଲେ। କିଛି ସମୟ କଥାବାର୍ତ୍ତା ପରେ ଶେଷରେ ସଂପୃକ୍ତ ବ୍ୟକ୍ତି କିରାଣୀଙ୍କୁ ହଜାରେ ଟଙ୍କା ଦେଇଥିଲେ ।
ପ୍ରଶ୍ନ ଉଠୁଛି, ବେଆଇନ ଦାଦନ ଚାଲାଣ ପାଇଁ ପୁଲିସ ଜିରୋ ଟଲରେନ୍ସ ନୀତି ଆପଣାଉଥିବା ବେଳେ, ରାଜ୍ୟ ସରକାର ଫାଇଭ୍-ଟିର ନାରା ଦେଉଥିବା ବେଳେ, ଏହା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଚିନ୍ତାଧାରା ତଥା ବଦଭ୍ୟାସକୁ କେତେ ବଦଳାଇପାରିଛି ?