”୨ଦିନ ଭିତରେ ଫାଇନାଲ୍ କର, ନହେଲେ ହୁଲସ୍ତୁଲ୍ ହେବ ଓଡ଼ିଶା’

ପରୀକ୍ଷା ଦ୍ୱନ୍ଦ୍ୱ ଦୂର ପାଇଁ ନବୀନ ନିବାସ ଆଗରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ଭୁବନେଶ୍ୱର : ”୨ଦିନ ଭିତରେ ଫାଇନାଲ୍ କର, ନହେଲେ ହୁଲସ୍ତୁଲ୍ ହେବ ଓଡ଼ିଶା । ପରୀକ୍ଷା ବାତିଲ୍ କର ନକଲେ ମାଷ୍ଟର କ୍ୟାଣ୍ଟିନରେ ଲାଇଭ ହେବ ।  ସିବିଏସଇ ପିଲା ପରୀକ୍ଷା ବାତିଲ୍ ହୋଇଥିବା ବେଳେ ଆମ ପରୀକ୍ଷା କାହିଁକି ବାତିଲ୍ କରାଯାଉ ନାହିଁ’ । ଆମ ଭବିଷ୍ୟତ ଏବେ ଅନ୍ଧାରରେ ।’  ସାରା ଦେଶର ପିଲା ପରୀକ୍ଷା ଦେଉନଥିବା ବେଳେ ପାତରଅନ୍ତର କରାଯାଉଥିବା ଅଭିଯୋଗ ଆଣିଛନ୍ତି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ।

ପରୀକ୍ଷା ଦ୍ୱନ୍ଦ୍ୱ ଦୂର ପାଇଁ ନବୀନ ନିବାସ ଆଗରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦ । ବର୍ତ୍ତମାନ ସ୍ଥିତିକୁ ଦେଖି ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛାତ୍ରଛାତ୍ରୀ । ଆଜି ରାଜଧାନୀର ବିଭିନ୍ନ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନବୀନ ନିବାସ ଯାଇ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି । ପରେ ଛାତ୍ରଛାତ୍ରୀମାନେ ଫରେଷ୍ଟ ପାର୍କ ନିକଟରେ ଧାରଣାରେ ବସିଥିଲେ ।

ତେବେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇ ଜଣାଇବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହା ପୂର୍ବରୁ ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଭେଟି ଦାବି ଜଣାଇଥିଲେ ।  ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ, ଯଦି ହେବ ଅଫଲାଇନରେ ନା ଅନଲାଇନରେ ସେ ନେଇ ସରକାର ଦ୍ୱନ୍ଦ୍ୱ ଦୂର କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

କୋଭିଡ ସ୍ଥିତିକୁ ଦେଖି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ରାଜ୍ୟ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସାମୟିକ ସ୍ଥଗିତ ରଖିଛନ୍ତି । ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହରେ ଏନେଇ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଏଣୁ ଛାତ୍ରଛାତ୍ରୀମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ପରିସ୍ଥିତିର ଉଚିତ ସମୀକ୍ଷା କରି ଦଶମ ଓ ଯୁକ୍ତ ୨ ବୋର୍ଡ ପରୀକ୍ଷା ସଂପର୍କରେ ପ୍ରକୃଷ୍ଟ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ସେପଟେ ସିବିଏସ୍ଇ ପରେ ଦଶମ ପରୀକ୍ଷା ବାତିଲ କଲା ଆଇସିଏସ୍ଇ(ICSE) । ୨୦୨୧ ଦଶମ ପରୀକ୍ଷା ବାତିଲ ନେଇ ଆଜି ICSE ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ବର୍ତ୍ତମାନ ପାଇଁ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଗତ ୧୬ ତାରିଖରେ ଆଇସିଏସ୍ଇ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ।

You might also like