ଏପ୍ରିଲ ୧୯ରୁ ଦଶମ, ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ୍‌ ବନ୍ଦ

  • ଏପ୍ରିଲ ୧୯ ତାରିଖରୁ ଦଶମ, ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ୍‌ ବନ୍ଦ
  • ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ସ୍କୁଲ , ଇଂରାଜୀ ମାଧ୍ୟମ ସ୍କୁଲ ଏବଂ ହଷ୍ଟେଲ୍‌ ମଧ୍ୟ ବନ୍ଦ
  • ରାଜ୍ୟର ସବୁ ବୋର୍ଡ ପରୀକ୍ଷା ସ୍ଥଗିତ
  • ରାଜ୍ୟର ମାଟ୍ରିକ୍‌, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ଏପ୍ରିଲ ୧୯ ତାରିଖରୁ ଦଶମ, ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ୍‌ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟ ସହ ସହବନ୍ଧିତ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ସ୍କୁଲ୍‌ର କ୍ଲାସ୍‌ ବନ୍ଦ ରହିବା ସହ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଓ ହଷ୍ଟେଲ ମଧ୍ୟ ୧୯ରୁ ବନ୍ଦ ରହିବ।

ମହାମାରୀ ସ୍ଥିତିରେ ଉନ୍ନତି ଆସିଲେ ପରୀକ୍ଷା ନେଇ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି। ଜୁନ୍ ପ୍ରଥମ ସପ୍ତାହରେ ପରୀକ୍ଷା ସମ୍ପର୍କରେ ସମୀକ୍ଷା ହେବ। ନବମ ଓ ଏକାଦଶ ପିଲା ସିଧା ଦଶମ ଓ ଦ୍ୱାଦଶକୁ ଉତ୍ତୀର୍ଣ୍ଣ ହେବେ।

ଅନ୍ୟପକ୍ଷେ, ରାଜ୍ୟର ସବୁ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ମାଟ୍ରିକ୍‌, ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟରେ ଆଜି ୨,୯୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧,୭୩୩ ଜଣ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍‌ ୧,୨୫୬ ରହିଛି। ସୁନ୍ଦରଗଡରୁ ଆଜି ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜି ଏଠାରୁ ୬୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଦିନକୁ ଦିନ ନୂଆପଡ଼ାରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। ଦୈନିକ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଥିବାରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ସମସ୍ତ ଦୋକାନ, ବଜାର ୯ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି

ସେପଟେ, ଚଳିତ ବର୍ଷ ଜୁନ୍‌ ୧୭ରୁ ୨୪ ମଧ୍ୟରେ Odisha Joint Entrance Examination (OJEE) ହେବ। ଏହି ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ୍‌ ହେବ ବୋଲି OJEE କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଥାଉ କି, CBSE ଦଶମ ବୋର୍ଡ ପରୀକ୍ଷା ବାତିଲ୍‌ ନେଇ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଟ୍ୱିଟ୍‌ ଯୋଗେ ସୂଚନା ଦେଇଥିଲେ। ଏହାସହ CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ମଧ୍ୟ ଘୁଞ୍ଚାଇ ଦିଆଯାଇଛି

You might also like