ବାଲେଶ୍ୱର: ଠିକ୍ ଛୁଟି ହେବା ବେଳକୁ ପ୍ରଥମ ଶ୍ରଣୀର ପିଲାଟି ଟଏଲେଟ୍ ଯାଇଥିଲା। ଆଉ ଏପଟେ ସ୍କୁଲ ଗେଟ୍ରେ ତାଲା ପକାଇ ଶିକ୍ଷକ ଓ ପିଅନ ଛୁ ମାରିଥିଲେ । ଏକ ଘଣ୍ଟା ପରେ ଗ୍ରାମବାସୀଙ୍କ ଦ୍ୱାରା ଉକ୍ତ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲ୍ଲା ମଠସାହି ମହାବୀର ନୋଡ଼ାଲ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଘଟଣା ଗତକାଲିର । ସ୍କୁଲ ଛୁଟିର କିଛି ସମୟ ପୂର୍ବରୁ ସମ୍ପୃକ୍ତ ଛାତ୍ର ଟଏଲେଟ୍ ଯାଇଥିଲେ। କ୍ଲାସରୁମ୍ରେ ତାଙ୍କର ବ୍ୟାଗ୍ ଥିଲେ ବି ଶିକ୍ଷକ କିମ୍ବା ପିଅନ ନ ଦେଖି ତାଲା ପକାଇ ଦେଇଥିଲେ। ଛାତ୍ର ଜଣକ ଟଏଲେଟ୍ରୁ ଫେରିବା ପରେ ଦେଖିବାକୁ ପାଇଲେ ଯେ, ସ୍କୁଲ୍ ଗେଟ୍ରେ ତାଲା ପଡ଼ିଛି। ଏହାପରେ ସେ କାନ୍ଦିବାକୁ ଲାଗିଥିଲା।
ଦୀର୍ଘ ୧ ଘଣ୍ଟା ପରେ ସ୍କୁଲ ପରିସରରେ ପିଲାଟି କାନ୍ଦୁଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ। ଏହାପରେ ପିଅନକୁ ଡାକି ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ସ୍କୁଲ ଶିକ୍ଷକ ଏବଂ ପିଅନଙ୍କ ଏଭଳି ଦାୟିତ୍ୱହୀନତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପପକ୍ଷରେ ଏହି ଘଟଣାକୁ ନେଇ ମହାବୀର ନୋଡ଼ାଲ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅଜବ ଯୁକ୍ତି ଦର୍ଶାଇଛନ୍ତି। ପ୍ରତିଦିନ ଜଣେ, ୨ ଜଣ ପିଲାଙ୍କୁ ଏଭଳି ତାଲା ପକାଇ ରଖାଯାଉଥିବା ସେ କହିଛନ୍ତି। ରାସ୍ତା କଡ଼ରେ ସ୍କୁଲ ହୋଇଥିବାରୁ ଅଭିଭାବକ ଆସିଲେ ପିଲାଙ୍କୁ ଆମେ ଛାଡୁ। ଯେଉଁଦିନ ଅଭିଭାବକ ନ ଆସିଥାନ୍ତି, ଆମେ ସେ ପିଲାଙ୍କୁ ଏମିତି ରଖୁ ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି।