ଭୋକିଲାଙ୍କ ପାଇଁ ସାହାରା ପାଲଟିଛି ବଦାନ୍ୟଙ୍କ ହାତ

ବିଭିନ୍ନ ସଂସ୍ଥା ଓ ସଂଗଠନ ପକ୍ଷରୁ ଖୋଲିଛି ଫ୍ରି କିଚେନ୍

ଭୁବନେଶ୍ୱର : ଧ୍ୱସ୍ତ ବିଧ୍ୱସ୍ତ ଘର, ମାଟିରେ ମିଶିଛି ଆସବାବପତ୍ର  ବାତ୍ୟା ବିତିବାର ପାଞ୍ଚ ଦିନ ପରେ ବି ଘର କୋଣରେ ଅଛୁଆଁ ଭଳି ପଡ଼ି ରହିଛି, ଭଙ୍ଗା କାନ୍ଥ ଓ ଛପର ତଳୁ ସାଉଁଟା ହୋଇଥିବା ହାଣ୍ଡିକୁଣ୍ଡି  ଝଡ଼ରେ ସର୍ବସ୍ୱ ହରାଇବା ପରେ ଏମାନେ ଖାଇବେ ତ ଖାଇବେ କଣ ? ରାନ୍ଧିବେ ତ ରାନ୍ଧିବେ କେଉଁଠି? ଚାଳ, ଚୁଲି ସବୁ ଏକାକାର କେବଳ ଗାଁ ନୁହେଁ, ପାଣି ଓ ବିଜୁଳି ଅଭାବରୁ ସହରରେ ବି ସମାନ ଅବସ୍ଥା।

ଏଭଳି ବିପତ୍ତି ବେଳେ ଫୋନି ପ୍ରଭାବିତଙ୍କ ଭୋକିଲା ପେଟରେ ଆହାର ଗଣ୍ଡେ ଦେବାକୁ ବାତ୍ୟା ପର ଦିନଠୁ ଆଗେଇ ଆସିଛନ୍ତି ବହୁ ସଂଗଠନ।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଖାରବେଳନଗର ସ୍ଥିତ ଗୁରୁଦ୍ୱାର ନିକଟରେ।  ଅନ୍ତର୍ଜାତୀୟ ବେସରକାରୀ ସଂଗଠନ ଖାଲ୍‌ସା ଏଡ୍ ପକ୍ଷରୁ ଗୁରୁଦ୍ୱାର ସିଂହସଭା ସହାୟତାରେ ଏଠାରେ ପାଞ୍ଚ ଦିନ ହେଲାଣି ଦିନକୁ ଦୁଇଥର ବିପନ୍ନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଦିଆଯାଉଛି। କେତେବେଳେ ଭାତ ଡାଲ୍‌ମା, ତ କେତେବେଳେ ଖେଚୁଡ଼ି  ଭୁବନେଶ୍ୱର ସହ ପୁରୀରେ ବି ୫ ହଜାର ଲେଖାଏଁ ବିପନ୍ନଙ୍କୁ ଆହାର ଯୋଗାଉଛି ଏହି ସଂଗଠନ।

ସେହିପରି ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଖାକି ବର୍ଦ୍ଦିଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି। ଫୋନି ଚୋଟରେ ଶ୍ରୀକ୍ଷେତ୍ର ଶ୍ରୀହୀନ ହେବା ପରେ ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା ପୁଲିସ। ଖୋଲିଛି କରୁଣା ଫ୍ରି କିଚେନ୍। ଏହାକୁ ଉଦ୍‌ଘାଟନ କରି ବାତ୍ୟା ପ୍ରଭାବିତଙ୍କୁ ରନ୍ଧାଖାଦ୍ୟ ପରଷିଛନ୍ତି ନିଜେ ପୁଲିସ ଡିଜି।  ଲୋକଙ୍କ ସହ ସାମିଲ ହୋଇ ଭାତ ଡାଲ୍‌ମା ଖାଇଛନ୍ତି ଡିଜିଙ୍କ ସମେତ ପୁରୀ ଏସ୍‌ପି ଓ କେନ୍ଦ୍ରାଞ୍ଚଳ ଆଇଜିଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ। ଆଗକୁ ସତ୍ୟବାଦୀ, ବ୍ରହ୍ମଗିରି ଓ ପିପିଲି ଆଦି ଅଞ୍ଚଳରେ ମଧ୍ୟ ଫ୍ରି କିଚେନ୍ ଖୋଲିବାକୁ ଯୋଜନା କରୁଛି ଓଡ଼ିଶା ପୁଲିସ।

କେବଳ ରନ୍ଧାଖାଦ୍ୟ ନୁହେଁ, କଣ୍ଟାବାଞ୍ଜି ଉତ୍କଳ ମାରଓ୍ୱାଡ଼ି ଯୁବା ମଞ୍ଚ ଭଳି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବାତ୍ୟା ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ପଠାଯାଇଛି। କଥାରେ ଅଛି, ଭୋକିଲା ପେଟକୁ ଆହାର ଦେବାଠୁ ବଳି ପୁଣ୍ୟ ନାହିଁ। ତେବେ ଦାନ, ପୁଣ୍ୟ ହେଉ କି ସହାୟତା, ବିପର୍ଯ୍ୟୟ ବେଳେ ଅନ୍ନଦାତା ସାଜିଥିବା ଏହି ଉଦାର ହୃଦୟଙ୍କ ଯୋଗୁଁ ହଜାର ହଜାର ଫୋନି ବିପନ୍ନଙ୍କ ମୁହଁରେ ଆହାର ପହଞ୍ଚିପାରୁଛି।

 

You might also like