ଆଜିଠୁ ଗଞ୍ଜାମ ସହରାଞ୍ଚଳରେ ସଟ୍‌ଡାଉନ୍‌

ବ୍ରହ୍ମପୁର: ଗଞ୍ଜାମରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ। କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ଜୁଲାଇ ୧୩ ଯାଏ ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ସଟ୍‌ଡାଉନ୍‌ ଘୋଷଣା ହୋଇଛି।

ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି, ଜିଲ୍ଲାର ସମସ୍ତ NAC, ଜିଲ୍ଲାର ୫ଟି ବ୍ଲକ୍ ହେଡ୍‌କ୍ୱାର୍ଟର- ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ, ପାତ୍ରପୁର ଓ ଜଗନ୍ନାଥ ପ୍ରସାଦକୁ ସମ୍ପୂର୍ଣ୍ଣ ଭାବେ ସଟ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ୭ଲକ୍ଷରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ। ଏହି ସମୟରେ ସବୁ ଲୋକ ଘରେ ରହିବା ଜରୁରୀ ଏବଂ ଯଦି କୌଣସି ବ୍ୟକ୍ତିଙ୍କ କରୋନା ଲକ୍ଷଣ ଦେଖାଯାଉଛି, ଏହାକୁ ନ ଲୁଚାଇବା ପାଇଁ ଲୋକମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ଅପିଲ୍‌ କରିଛନ୍ତି। ସର୍ଭେ ନିମନ୍ତେ ବ୍ରହ୍ମପୁର ପାଇଁ ୧୦୦ ଓ ଅନ୍ୟ ଅଞ୍ଚଳ ପାଇଁ ଆଉ ୧୦୦ଟି ଟିମ୍ ଗଠନ କରାଯାଇଛି। ସହରାଞ୍ଚଳରେ ସର୍ଭେ ସରିବା ପରେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହେବ।

ସେହିପରି MKCG ମେଡିକାଲ୍‌ର ଓପିଡିକୁ ସାଧାରଣ ରୋଗୀଙ୍କ ପାଇଁ ବନ୍ଦ କରାଯାଇଛି। ହେଲେ ସଟ୍‌ଡାଉନ୍‌ରୁ ଅତ୍ୟାବଶକ ସେବାକୁ ବାଦ୍ ଦିଆଯାଇଛି। ସଟ୍‌ଡାଉନ୍ ବେଳେ କ୍ଷୀର ଗାଡ଼ି, ହସ୍ପିଟାଲ୍ ସେବା, ମେଡିସିନ୍ ଷ୍ଟୋର୍ ଖୋଲା ରହିବ। ଯଦି, କେହି ବ୍ୟକ୍ତି ବିମାନ ବନ୍ଦରକୁ ଯିବାକୁ ଥିବ ତେବେ ଟିକେଟ୍ ଦେଖାଇ ଯାଇ ପାରିବେ। ସେହିଭଳି ବ୍ୟାଙ୍କ ଖୋଲା ରହିବ। କିନ୍ତୁ ସାଧାରଣ ଲୋକ ଯିବାକୁ ମନା କରାଯାଇଛି।

ଅନ୍ୟପକ୍ଷରେ, ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ଖୋର୍ଦ୍ଧା-ନୟାଗଡ଼ ଜିଲ୍ଲାର ସୀମାକୁ ସିଲ୍ କରାଯାଇଛି।

You might also like