ଫିକା ପଡ଼ିଲା ବଡ଼ଦିନ ମଉଜ; କରୋନା କଟକଣାରେ ପାଳନ ହେବ ଯୀଶୁଙ୍କ ଜନ୍ମୋତ୍ସବ
ଭୁବନେଶ୍ୱର: ରାତି ପାହିଲେ ବଡ଼ଦିନ। ଆଜି ମଧ୍ୟରାତ୍ରରେ ଜନ୍ମନେବେ ପ୍ରଭୁ ଯୀଶୁ। ତେବେ ଚଳିତବର୍ଷର ଖ୍ରୀଷ୍ଚମାସକୁ ଫିକା କରିଦେଇଛି କରୋନା କଟକଣା। ଚର୍ଚ୍ଚରେ ନା ଗତବର୍ଷମାନଙ୍କ ଭଳି ସାଜସଜ୍ଜା ହୋଇଛି ନା ଲୋକଙ୍କ ଗହଳି ଚହଳି ଜମିଛି। ଅଧିକାଂଶ ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନ ଉତ୍ସବ ପାଳନ ହେବ ନାହିଁ। ଆସନ୍ତାକାଲି କଟକଣା ମଧ୍ୟରେ ସମୂହ ପ୍ରାର୍ଥନା କରାଯିବ।
ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଧରାପୃଷ୍ଠରେ ଅବତରଣ କରିବେ ପ୍ରଭୁ ଯୀଶଖ୍ରୀଷ୍ଟ। ବଡ଼ଦିନ ପର୍ବ ପାଳିବାକୁ ଏବେଠୁ ହିଁ ଚର୍ଚ୍ଚରେ ଜମିଥାନ୍ତା ଭିଡ଼। ଶ୍ରଦ୍ଧାଳୁଙ୍କ ଆଗମନରେ ଉଠିଥାନ୍ତା ପଡିଥାନ୍ତା ଗୀର୍ଜା। ହେଲେ ସବୁଠି ଖାଁ ଖାଁ ପରିବେଶ। ନା ଚର୍ଚ୍ଚରେ ଭିଡ଼ ଅଛି ନା କିଛି ସାଜସଜ୍ଜା ହୋଇଛି।
ଭୁବନେଶ୍ୱର ସତ୍ୟନଗର କ୍ୟାଥଲିକ ଚର୍ଚ୍ଚରେ କେବଳ ନାଁକୁ ମାତ୍ର ଗୁହାଳଟିଏ କରାଯାଇଛି। ରାତି ୧୨ଟାରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ ଉପରେ କଟକଣା ଲଗାଯାଇଛି। ଶୁକ୍ରବାର କେବଳ ସମୂହ ପ୍ରାର୍ଥନା କରାଯିବ।
କଟକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ପ୍ରଶାସନ ଅନୁମତି ଦେଇନଥିବାରୁ କ୍ୟାଣ୍ଟନମେଣ୍ଟ ରୋଡ୍ କ୍ୟାଥଲିକ୍ ଚର୍ଚ୍ଚରେ ତାଲା ଝୁଲୁଛି। ଏଠିବି ଶୁକ୍ରବାର ସକାଳେ କେବଳ ପ୍ରାର୍ଥନା କରାଯିବ। ବଡ଼ଦିନ ମଉଜକୁ ଫିକା କରିଦେଇଛି କରୋନା କଟକଣା। ବନ୍ଧୁବାନ୍ଧବ ଆସୁନଥିବାରୁ ଘରେ ମଧ୍ୟ ଉତ୍ସାହ ନାହିଁ।
କନ୍ଧମାଳରେ କରୋନା ପାଇଁ ନିରବତା ଦେଖିବାକୁ ମିଳିଛି। ଏଠି ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ ମଦର ମେରୀ। ଶିଶୁ ଯୀଶୁ ଏବଂ ଗୁହାଳ ପ୍ରସ୍ତୁତ ହୋଇ ରହିଛି। ୧୨ଟା ବାଜିଲେ ଜନ୍ମନେବେ ପ୍ରଭୁ ଯୀଶୁ। ହେଲେ ସ୍ୱାଗତ କରିବାକୁ ଚର୍ଚ୍ଚରେ ଜମିବନି ଭିଡ଼। କରୋନା କଟକଣା ଭିତରେ କନ୍ଧମାଳରେ ଏମିତି ପାଳନ ହେବ ବଡ଼ଦିନ। ଏଥିପାଇଁ ଉଭୟ କ୍ୟାଥଲିକ ଓ ବାପ୍ଟିଷ୍ଟ ଚର୍ଚ୍ଚରେ କରାଯାଇଛି ପ୍ରସ୍ତୁତି।
ବଡ଼ ଚର୍ଚ୍ଚରେ ୫୦ ଏବଂ ଛୋଟ ଚର୍ଚ୍ଚରେ ୨୦ ଜଣଙ୍କୁ ପ୍ରଶାସନ ଅନୁମତି ଦେଇଥିବାରୁ ଲୋକେ ଟିକେ ନିରାଶ ଅଛନ୍ତି। ସେପଟେ ବାଲିଗୁଡାରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ। ପୁରା ସହର ପରିକ୍ରମା କରିଛନ୍ତି ସୁରକ୍ଷାକର୍ମୀ। କୋଭିଡ କଟକଣା ମାନି ଶାନ୍ତିଶୃଙ୍ଖଳାର ସହ ବଡଦିନ ପାଳିବାକୁ ଲୋକଙ୍କୁ ନିବେଦନ କରିଛି ପ୍ରଶାସନ।
କୋରାପୁଟରେ ବଡ଼ଦିନ ପାଳନ ପାଇଁ ଅନୁମତି ନମିଳିବାରୁ ବନ୍ଦ ରହିଛି ବିଭିନ୍ନ ଚର୍ଚ୍ଚ। ଘରେ ରହି ଅନଲାଇନ୍ରେ ପ୍ରାର୍ଥନା କରିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ପାଇଁ ସଜେଇ ହୋଇଛି ଭୁବନେଶ୍ୱର ବିମାନ ବନ୍ଦର। ଖ୍ରୀଷ୍ଚମାସ ଟ୍ରି ଲାଗିଛି, ସାନ୍ତାକ୍ଲଜ୍ ବି ରହିଛି। ଟର୍ମିନାଲ ବାହାରେ ଯାତ୍ରୀଙ୍କୁ ଅଭିନନ୍ଦନ ଜଣାଇବାକୁ ତିଆରି ହୋଇଛି ସ୍ୱତନ୍ତ୍ର ଗେଟ୍। ତେବେ ଦଶହରା ଏବଂ ଦୀପାବଳି ପରେ ବଡଦିନ ପର୍ବକୁ ଫିକା କରିଦେଇଛି କରୋନା କଟକଣା।
ବଡ଼ ଦିନ ପାଇଁ ବିଶ୍ୱ ରେକର୍ଡ ଅପେକ୍ଷାରେ ସୁଦର୍ଶନ
ଏପଟେ ପୁରୀ ବେଳାଭୂମିରେ କରୋନା ମୁକାବିଲା ପାଇଁ ସଚେତନତାର ବାର୍ତା ଦେଉଛି ସୁଦର୍ଶନଙ୍କ ସାଣ୍ଟା କ୍ଲଜ। ଖ୍ରୀଷ୍ଟମାସ ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱର ସବୁଠୁ ବଡ଼ ମାସ୍କର ବାଲୁକା ପ୍ରତିକୃତି ତିଆରି କରିଛନ୍ତି। ଯାହା ୬ ହଜାର ବର୍ଗଫୁଟ ଅଂଚଳରେ ନିର୍ମିତ ହୋଇଛି ୧୦୦ ଫୁଟ ଲମ୍ବର ମାସ୍କ। ଏହି ମାସ୍କକୁ ଦୁଇ ପଟୁ ଧରିଛନ୍ତି ଦୁଇ ଜଣ ସାନ୍ତା କ୍ଲଜ୍। ଏହି ବାଲୁକାକଳାକୁ ନେଇ ସୁଦର୍ଶନ କହିଛନ୍ତି ଯେ ଏହା ହେଉଛି ଏକ ଥ୍ରୀଡି ବାଲୁକାକୃତି। ତାଙ୍କ ଦ୍ୱାରା ନିର୍ମିତ ଏହି ବାଲୁକାକୃତି ବିଶ୍ୱ ରେକର୍ଡ କରିବ ବୋଲି ଲକ୍ଷ୍ୟ ରଖିଛନ୍ତି ସୁଦର୍ଶନ।