ଚୌଦ୍ୱାର କାଗଜକଳର ପୁନରୁଦ୍ଧାର କେବେ ? ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଶ୍ରମିକଙ୍କ ପରିବାର

  • କାରଖାନାର ଜମି ବିକ୍ରି ପାଇଁ ଯୋଜନା ଅଭିଯୋଗ କଲେ ଲୋକେ
  • ପୁନରୁଦ୍ଧାର ସହ କାରଖାନାର ଜମିର ସୁରକ୍ଷା ଦାବି କଲେ

ଚୌଦ୍ୱାର(ପ୍ରକାଶ କୁମାର ନାୟକ) :  ରାଜ୍ୟରେ କାଗଜ କଳ କହିଲେ ଚୌଦ୍ୱାରକୁ ବୁଝାଉଥିଲା । ୨୦୦୩ରେ ଏହି କମ୍ପାନୀ ବନ୍ଦ ହେବା ପରେ ଏଥିରେ କାମ କରୁଥିବା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିର୍ଭର କରୁଥିବା ପ୍ରାୟ ୧୦ ହଜାର ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ବର୍ତ୍ତମାନ ସୁଦ୍ଧା କମ୍ପାନୀରେ କାମ କରୁଥିବା ଅଢେଇ ଶହରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇସାରିଛି । କମ୍ପାନୀର ଜମିକୁ ବିକ୍ରି କରିବାକୁ ଯୋଜନା ଥିବା ଅଭିଯୋଗ କରିଛନ୍ତି ଶ୍ରମିକ । କଂପାନୀ ପୁନଃକାର୍ଯ୍ୟକ୍ଷମ କରିବାକୁ ଦାବି କରିବା ସହ ଶ୍ରମିକଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି । ହେଲେ ସରକାରଙ୍କ ପକ୍ଷରୁ ମିଳୁଛି ମାତ୍ର ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ।

ଚୌଦ୍ୱାର ସ୍ଥିତ ବଲ୍ଲାରପୁର କାଗଜକଳ ନିର୍ମାଣ ପାଇଁ ୧୯୫୫ରେ ଅଂଚଳର ଲୋକେ ନିଜ ଭିଟାମାଟି ହରାଇଥିଲେ । ଆଶା କରିଥିଲେ ଜମି ଗଲା ପରେ କାରଖାନାରେ କାମ କରି ପରିବାର ଚଳାଇବେ । କିନ୍ତୁ ବିଭିନ୍ନ ସମସ୍ୟାକୁ ନେଇ ୧୯୯୦ରେ କମ୍ପାନୀ ବନ୍ଦ ହୋଇଯାଇଥିଲା । ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁବାବୁ ୧୯୯୧ରେ କାରଖାନାକୁ ଥାପର ଗ୍ରୁପକୁ ହସ୍ତାନ୍ତର କରିଥିଲେ । ଥାପର ଗ୍ରୁପ ବଲାରପୁର କାଗଜକଳ ନାମରେ ନାମିତ କରି ଉତ୍ପାଦନ ଆରମ୍ଭ କରିଥିଲେ । କାରଖାନା ୧୦ବର୍ଷ ଚଳାଇବାପରେ ବିଭିନ୍ନ ଆଳ ଦେଖାଇ ହଠାତ୍ କାରଖାନାକୁ ବନ୍ଦ କରିଦେଇଥିଲେ । କମ୍ପାନୀ କର୍ତ୍ତପକ୍ଷ କମ୍ପାନୀ କର୍ତ୍ତୃପକ୍ଷ କାରଖାନାରୁ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ବିକ୍ରି କରିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ମଧ୍ୟ ହୋଇଛି ।

ଏହାକୁ ନେଇ ସ୍ଥାନୀୟ ଲୋକେ କମ୍ପାନୀ ଗେଟ ସମ୍ମୁଖରେ ଧାରଣା ମଧ୍ୟ ଦେଇଛନ୍ତି । ୨୦୦୫ରେ ଜନସ୍ୱାର୍ଥ ମାମଲାର ଶୁଣାଣି କରି କମ୍ପାନୀ ବସାଇଥିବା ୧୮୬୦ ମସିହାର ମେସିନ ଓ ସ୍କ୍ରାପକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଥିଲେ କୋର୍ଟ । ଏହାସହ ଅତ୍ୟାଧୁନିକ ମେସିନ୍ ବସାଇ କାରଖାନାକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକୁ ଦୀର୍ଘ ବର୍ଷ ବିତିଥିଲେ ମଧ୍ୟ କଂପାନୀ କର୍ତ୍ତୃପକ୍ଷ ଏଠାରେ ନୂତନ କୌଣସି ଶିଳ୍ପ ପ୍ରତିଷ୍ଠା ନକରି କବାଡିଆଙ୍କୁ କାରଖାନାର ଭିତ୍ତିଭୁମି ଭାଂଗି ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ସେପଟେ କାରଖାନାରେ କାମ କରୁଥିବା ଶ୍ରମିକଙ୍କ ପରିବାର ରୋଜଗାର ନପାଇ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ସେମାନଙ୍କ ଘରର ମୁରବୀଙ୍କୁ ହରାଇଥିବାବେଳେ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ଶ୍ରମିକଙ୍କ ପରିବାରକୁ ସରକାର ସହାୟତା ପ୍ରଦାନ କରିବାକୁ ପ୍ରଶାସନ ସହ ସରକାରଙ୍କୁ ବାରମ୍ବାର ଜଣାଇଛନ୍ତି ଲୋକେ । ସେପଟେ ଶ୍ରମିକଙ୍କ ଅଭିଯୋଗକୁ ନେଇ ସରକାର ବିଚାର କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

You might also like