ଦିନକୁ ଦିନ ପଦା ହେବାକୁ ବସିଲାଣି ଜଙ୍ଗଲ

ଗାଁ ମୁହାଁ ହେଉଛନ୍ତି ହାତୀ

କଟକ: ‘ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା’ ନାରାବାଜି ଦେଉଛନ୍ତି ସରକାର। ଜଙ୍ଗଲ ସଂରକ୍ଷଣ ପାଇଁ ସରକାରଙ୍କ ଅନେକ ଯୋଜନା ମଧ୍ୟ ରହିଛି। ହେଲେ ପ୍ରକୃତରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା କଟକ ଚୌଦ୍ୱାର ଡାଳିଯୋଡ଼ା ସଂରକ୍ଷିତ ଡମଣୀ ଜଙ୍ଗଲକୁ ଦେଖିଲେ ସ୍ପଷ୍ଟ ବାରି ଜଣାପଡ଼ୁଛି।

ଦିନକୁ ଦିନ ପଦା ହେବାକୁ ବସିଲାଣି ଜଙ୍ଗଲ। ଗଛଗୁଡ଼ିକ ବଡ଼ ହେବା ପୂର୍ବରୁ କାଟି ଦିଆଯାଉଥିବାରୁ ଜଙ୍ଗଲ ଭିତରେ କେବଳ ମୂଳ ହିଁ ରହିଯାଇଛି। ଜଙ୍ଗଲ ଭିତରେ ମିଳୁଥିବା ଆମ୍ବ, ଚାର, କେନ୍ଦୁ, କୁମ୍ବି ଆଦି ଗଛ ସବୁ କାଟି ଦିଆଯାଉଛି। ଫଳରେ ଖାଦ୍ୟ ଅଭାବ ଯୋଗୁ ଗାଁ ମୁହାଁ ହେଉଛନ୍ତି ହାତୀ। କେବଳ ସେତିକି ନୁହେଁ, ଜଙ୍ଗଲ ଭିତରେ ପାଣି ଅଭାବ ମଧ୍ୟ ଦେଖା ଦେଲାଣି। କେବଳ ହାତୀ ନୁହେଁ ଖାଦ୍ୟ ଓ ପାଣି ଅଭାବ ଯୋଗୁ  ଅନ୍ୟ ଜୀବଜନ୍ତୁଙ୍କ ମଧ୍ୟ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲାଣି। ଏଭଳି ପରିସ୍ଥିତିରେ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଗଲା ୪ ତାରିଖରୁ ପାଞ୍ଚ ବର୍ଷ ହେବ ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ହାତୀ ଗାଁ ମୁହାଁ ହେବାରୁ ସ୍ଥାନୀୟ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ବନ ସୁରକ୍ଷା ସମିତି ୫୦ ହେକ୍ଟର୍ ଜମିକୁ ଜଗିଥାନ୍ତି। ସମିତି ସଦସ୍ୟଙ୍କ ସହିତ ବନ କର୍ମଚାରୀଙ୍କୁ ମଧ୍ୟ ଜଙ୍ଗଲ ଉପରେ ନଜର ରଖିବା କଥା, ହେଲେ ବନ ବିଭାଗ କର୍ମଚାରୀ ସହଯୋଗ କରୁନଥିବା ଅଭିଯୋଗ ହୋଇଛି।

ଶହ ଶହ ଏକର ଜଙ୍ଗଲ ଜମି ଖାଲି ପଡ଼ିଛି, ସରକାର ଜମି ଉପରେ ବୃକ୍ଷ ରୋପଣ କଲେ ଜଙ୍ଗଲ ବୃଦ୍ଧି ହେବା ସହିତ ଭଲ ବର୍ଷା ମଧ୍ୟ ହୋଇପାରନ୍ତା। ଆଉ ଜଙ୍ଗଲୀ ଜନ୍ତୁଙ୍କ ଭୟରୁ ଗ୍ରାମବାସୀ ରକ୍ଷା ପାଇପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

You might also like