ବ୍ଲିଚିଂ ଦେଇ ପୋତା ଯାଇଥିଲା ଚିଙ୍ଗୁଡ଼ି, ମାଟି ଖୋଳି ବୋହି ନେଲେ ଲୋକେ

ବାଲୁଗାଁ: ମାଟି ତଳେ ପୋତା ଯାଇଥିବା କିଲୋ କିଲୋ ଚିଙ୍ଗୁଡ଼ି ଖୋଳି ନେଇଗଲେ ବ୍ୟବସାୟୀ। ଜଣେ ମାଛ ବ୍ୟବସାୟୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂରା ମାଛ ମାର୍କେଟ୍‌କୁ ସିଲ୍‌ କରାଯାଇଥିଲା। ଏପରିକି ବ୍ଲିଚିଂ ଦେଇ ୧୦୫ କିଲୋ ଚିଙ୍ଗୁଡ଼ିକୁ ମାଟିରେ ପୋତା ଯାଇଥିଲା। ହେଲେ କିଛି ଲୋକ ସେଇ ଚିଙ୍ଗୁଡିକୁ ଖୋଳି ନେଇଯାଇଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏଭଳି କିଛି ଘଟଣା ଘଟିଛି।

ସୂଚନା ଅନୁସାରେ, ଚିଲିକା ମାଛ ମାର୍କେଟ୍‌ରେ ଜଣେ ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ନେଇ ଶୁକ୍ରବାର ଜଣାପଡ଼ିଥିଲା। ଖବର ଜଣାପଡ଼ିବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବ୍ୟବସାୟୀଙ୍କ ୨ଟି ଗୋଦାମ ଓ ୩ଟି ବରଫ କଳ ସିଲ୍‌ କରାଯାଇଥିଲା। ଏହାସହ ୧୦୫ କିଲୋ ଚିଙ୍ଗୁଡ଼ିକୁ ବ୍ଲିଚିଂ ଦିଆଯାଇ ମାଟିରେ ପୋତା ଯାଇଥିଲା। ତେବେ ଚିଙ୍ଗୁଡ଼ିକୁ ମାଟିରେ ପୋତା ଯିବାର ୩ ଘଣ୍ଟା ପରେ କିଛି ବ୍ୟବସାୟୀ ଚିଙ୍ଗୁଡ଼ିକୁ ଖୋଳି ନେଉଥିବାର ଦେଖିବାକୁ ମିଳିଥିଲା।

ଏହି ଘଟଣା ନେଇ ସ୍ଥାନୀୟ ତହସିଲଦାରଙ୍କୁ ପଚାରି ଯିବାରୁ ସେ କହିଥିଲେ, ପୋତା ଯାଇଥିବା ଚିଙ୍ଗୁଡ଼ିରେ ବ୍ଲିଚିଂ ମିଶା ଯାଇଥିଲା। ତେଣୁ ଏହା ବ୍ୟବହାର ଯୋଗ୍ୟ ନୁହେଁ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ପୋତା ଯାଇଥିବା ଚିଙ୍ଗୁଡ଼ି ବ୍ୟବହାର ହୋଇଥାଏ ତେବେ ସ୍ଥିତି ସାଙ୍ଘାତିକ ହେବ ବୋଲି ଆଶଙ୍କା କରାଯାଉଛି।

You might also like