ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ; ଜୀବନ ଜୀବିକା ପ୍ରଭାବିତ

ଚିଲିକା: ଚିଲିକାରେ ଡଙ୍ଗାବୁଡି ଘଟଣା ପରେ ଡଙ୍ଗା ଚଳାଚଳ ବନ୍ଦ ରହିଛି। ଘଟଣାକୁ ଦୁଇମାସ ବିତିଗଲା ପରେ ବି ଡଙ୍ଗା ଚଳାଚଳ ପାଇଁ ଅନୁମତି ମିଳିନି। ଫଳରେ ଡଙ୍ଗା ଚାଳକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି।

ଡଙ୍ଗା ଚଳାଇ ପରିବାର ପୋଷୁଥିବା ଚାଳକ ଏବେ ଘରେ ହାତ ବାନ୍ଧି ବସିଛନ୍ତି। ଟଙ୍କା କେଉଁଠୁ ଆସିବ ଓ କେମିତି ପରିବାର ଚଳିବ ଏହାକୁ ନେଇ ୩ ଶହରୁ ଅଧିକ ପରିବାର ଏବେ ଚିନ୍ତାରେ। ଅନ୍ୟପଟେ ଓଳିଏ ଖାଇଲେ ଆର ଓଳି ଉପାସରେ ରହିବାକୁ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି। ପୁଣି ପାଖରେ ଟଙ୍କା ନଥିବାରୁ ଅନେକ ପରିବାର ବର୍ଷା ଦିନେ ଘର ମରାମତି କରି ନ ପାରିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବାଲୁଗାଁ, ମଠପୁର, ବଡକୂଳ, ସାମନ୍ତରାପୁରର ଡଙ୍ଗା ଚାଳକ ଏବେ ଜୀବିକା ହରାଇବା ଆଶଙ୍କାରେ ଜୀବନ କାଟୁଛନ୍ତି। ଏମାନଙ୍କ ଭିତରୁ ଅନେକ ଦାଦନ ଖଟିଯିବାକୁ ପ୍ରସ୍ତୁତ ହେଲେଣି। ଯଦି ସରକାର ତୁରନ୍ତ ଡଙ୍ଗା ଚଳାଚଳ ପାଇଁ ଅନୁମତି ନ ଦିଅନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଡଙ୍ଗା ଚାଳକ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏହାକୁ ନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

(ଶକ୍ତି ପ୍ରସାଦ ମହାପାତ୍ରଙ୍କ ରିପୋର୍ଟ)

You might also like