ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ନେଇ ଆସୁଛି। ସେଥିପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏବେ ଆଶ୍ୱାସନା ମିଳିଛି। କରୋନାର ତୃତୀୟ ଲହରରେ ଶିଶୁମାନେ କମ୍ ସଂକ୍ରମିତ ହେବେ।  ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ସେମାନେ କମ୍ ସଂକ୍ରମିତ ହେବେ। ଏକଥା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।

ତେବେ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ପାଇଁ ତୃତୀୟ ଲହର କେବଳ ଆକଳନ ମାତ୍ର । ତା ଅର୍ଥ ନୁହେଁ କି ତୃତୀୟ ଲହର ଓଡ଼ିଶାକୁ ଆସିବନି । ତୃତୀୟ ଲହରରେ କୋଭିଡ ଗାଇଡଲାଇନ ଓ ଭ୍ୟାକ୍ସିନେସନକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଏଥିପାଇଁ ରାଜ୍ୟ ସରକାର ଭିତ୍ତିଭୂମି ମଜବୁତ କରୁଛନ୍ତି । ବର୍ତ୍ତମାନ ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଖସୁଛି ବୋଲି କହିଛନ୍ତି ଡିଏମ୍ଇଟି ।

ତେବେ ମହାରାଷ୍ଟ୍ରରେ ତୃତୀୟ ଲହର ଆସିବ ବୋଲି ଆକଳନ ପରେ ଓଡ଼ିଶା ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । କୋଭିଡ ନିୟମ ମାନିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି । ଟୀକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ଜୋରଦାର କରାଯାଇଛି। କରୋନାର ଡେଲ୍‌ଟା ପ୍ଲସ ଭାରିଏଣ୍ଟ ପୃଥିବୀରେ ବହୁତ କମ ଲୋକଙ୍କ ନିକଟରେ ଚିହ୍ନଟ ହୋଇଛି । ଭାରତରେ ୬ ଜଣ ଡେଲ୍‌ଟା ପ୍ଲସ୍ ଭାରିଏଣ୍ଟରେ ଆକ୍ରନ୍ତ ହୋଇଛନ୍ତି । ଏହା ଉପରେ ଟିକାର ପରୀକ୍ଷଣ କରାଯାଉଛି । ଏଣୁ ଏବେଠୁ ଆତଙ୍କିତ ହେବା ଅନୁଚିତ ବୋଲି କହିଛନ୍ତି ଡିଏମ୍ଇଟି।

ଅନ୍ୟପଟେ ତୃତୀୟ ଲହରରେ ଶିଶୁ ସଂକ୍ରମିତ ହେବା ବିଶେଷଜ୍ଞ ଆଶଙ୍କା କରୁଥିବାରୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏହାଛଡ଼ା ଜୁନ ଶେଷ ସପ୍ତାହରେ ଟିକା ଯୋଗାଣ ହେଲେ ଦୈନିକ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।

ସୂଚନାଥାଉ କି,  ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଦେଖାଦେବ ବୋଲି ଆକଳନ କରିଛି ଷ୍ଟେଟ ଟାସ୍କ ଫୋର୍ସ ।  ଟାସ୍କ ଫୋର୍ସ ପକ୍ଷରୁ  କୁହାଯାଇଛି, କରୋନାର ତୃତୀୟ ଲହର ପିଲାମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ତୃତୀୟ ଲହର ୨ୟ ଲହରଠାରୁ ଅଧିକ ସଂକ୍ରମିତ ହେବା ସହ ୧୦ ପ୍ରତିଶତ ପିଲା ଓ ଯୁବ ଗୋଷ୍ଠୀ ସଂକ୍ରମିତ  ହୋଇ ପାରନ୍ତି ବୋଲି ଆକଳନ କରାଯାଇଛି।

ସେହିପରି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ରଙ୍କ ମତରେ ଯଦି ବି ତୃତୀୟ ଲହର ଆସେ, ସେତେବେଳକୁ ଲୋକଙ୍କ ଦେହରେ ହର୍ଡ ଇମ୍ୟୁନିଟି ଡେଭଲପ ହୋଇଯାଇଥିବ । ତେଣୁ ସମ୍ଭାବ୍ୟ ତୃତୀୟ ଲହର ଦ୍ୱିତୀୟ ଲହରଠାରୁ ଅଧିକ ହେବ ନାହିଁ । ଯଦି ଇତିହାସ ଦେଖାଯାଏ, ଦ୍ୱିତୀୟ ଲହର ସବୁବେଳେ ମାରାତ୍ମକ ହୋଇଛି । ତୃତୀୟ ଓ ଚତୁର୍ଥ ଲହର ବେଶୀ ମାରାତ୍ମକ ହୋଇନି।

ଏହାଛଡ଼ା ଡେଲ୍‌ଟା ପ୍ଲସ୍ ନେଇ ସେ କହିଛନ୍ତି ସ୍ପୁଟନିକ ଭି ଏକ ବୁଷ୍ଟର ଡୋଜ୍ ଆଣୁଛି । ଯାହା ଡେଲ୍ଟା ପ୍ଲସ୍ ଭାରିଏଣ୍ଟ ବିରୋଧରେ କାମ କରିବ ବୋଲି କୁହାଯାଉଛି । ତୃତୀୟ ଲହରରେ ପିଲାଙ୍କୁ ସଂକ୍ରମଣ ସଂପର୍କରେ ବିଶେଷଜ୍ଞ କହିଛନ୍ତି, ଯୁବଗୋଷ୍ଠୀ ତୁଳନାରେ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହୁଛି । ତେଣୁ ସେମାନଙ୍କ ପାଇଁ ମାରାତ୍ମକ ହେବନି ।

Other Stories