ଆମ ବିକଶିତ ଓଡ଼ିଶା: ଯେଉଁଠି ପିଲା ଡଙ୍ଗାରେ ଯାଆନ୍ତି ସ୍କୁଲ୍‌

କେନ୍ଦୁଝର: ବିପଦପୂର୍ଣ୍ଣ ଅବସ୍ଥାରେ ନଈ ପାର ହେଉଛନ୍ତ ସ୍କୁଲ୍‌ ପିଲା। ଟିକିଏ ଏପଟ ସେପଟ ହେଲେ ରହୁଛି ଜୀବନ ଯିବାର ଭୟ। ପ୍ରତ୍ୟେକ ଦିନ ହୁଲି ଡଙ୍ଗାକୁ ବାହି ନଦୀ ପାର୍ ହେଉଛନ୍ତି ପିଲା। ପାଠ ପଢି ଯିବାକୁ ଏମାନଙ୍କ ପାଖରେ ଏଇ ଡଙ୍ଗା ହିଁ ଏକମାତ୍ର ଚାରା। ବର୍ଷା ଦିନ ଆସିଲେ ପ୍ରାୟ ସମସ୍ତ ପିଲାଙ୍କ ବସ୍ତାନୀରେ ବନ୍ଧା ପଡିଯାଏ ଡୋରି।

କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍ ସାପଲାଞ୍ଜି ଗାଁରେ ସମାକୋଇ ନଦୀ ପାଲଟିଛି ଲୋକଙ୍କ ଦୁଖଃ। ପାଣି କମ୍ ଥିଲେ ଡଙ୍ଗାରେ, ରୋଗୀ, ପ୍ରସୂତି, ରାସନ ସାମଗ୍ରୀ ଆଣିବାକୁ ଯାଆନ୍ତି ଲୋକେ। ଆଉ ନଦୀରେ ପାଣି ବଢ଼ିଲେ ଜଳବନ୍ଦୀ ହୋଇଯାଆନ୍ତି ସାପଲାଞ୍ଜି ବାସିନ୍ଦା।

ନଦୀରେ ପୋଲଟିଏ ନଥିବାରୁ ବର୍ଷା ତିନି ମାସ ଅସୁବିଧା ଭୋଗନ୍ତି ଗାଁଲୋକେ। ଏହି ସମସ୍ୟା ନେଇ ପ୍ରଶାସନକୁ ଅନେକଥର ଜଣାଇଥିଲେବି ଅବସ୍ଥା ସୁଧୁରୁ ନଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଲୋକେ ଦାବି କରୁଛନ୍ତି ବିସ୍ଥାପିତ କର ନଚେତ୍ ନଦୀରେ ପୋଲ ନିର୍ମାଣ କର।

ଏନେଇ ତେଲକୋଇ ବିଡିଓ କହିଛନ୍ତି, ଜିଲାପାଳ ସାପଲାଞ୍ଜି ଗାଁର ସମସ୍ୟା ନେଇ ଅବଗତ ଅଛନ୍ତି। ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ। ଦୀର୍ଘ ଦିନରୁ ସମାକୋଇ ନଦୀ ସାପଲାଞ୍ଜି ଗାଁ ପାଇଁ ଦୁଃଖ ସାଜିଥିବାବେଳେ, ନଦୀରେ ଶୀଘ୍ର ପୋଲ ନିର୍ମାଣ କରିବାକୁ ଦାବି ହୋଇଛି।

You might also like