୨୫ ଟଙ୍କାର ଲୋଭ ଦେଖାଇ ଶିଶୁକୁ ନେଇଗଲେ ମହିଳା, ତା’ପରେ…

ପାରାଦୀପ: ପାରାଦୀପ ଷଣ୍ଢକୁଦ ବସ୍ତିରେ ଶିଶୁ ବଳି ଉଦ୍ୟମ ନେଇ ଅଭିଯୋଗ ହୋଇଛି। ମାତ୍ର ୨୫ ଟଙ୍କାର ଲୋଭ ଦେଖାଇ ଜଣେ ଶିଶୁକୁ ଗୁଣିଗାରେଡ଼ି ସ୍ଥଳକୁ ନିଆଯାଇଥିଲା। ଏହାପରେ ସମ୍ପୃକ୍ତ ଶିଶୁକୁ ବଳି ପାଇଁ ଉଦ୍ୟମ ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଷଣ୍ଢକୁଦ ବସ୍ତିର ସତ୍ୟରଞ୍ଜନ ମଣ୍ଡଳଙ୍କ ୭ ବର୍ଷର ପୁଅ ଶନିବାର ଦିନ ଘର ବାହାରେ ଖେଳୁଥିଲେ। ଏହି ସମୟରେ ଜଣେ ମହିଳା ଆସି ସମ୍ପୃକ୍ତ ଶିଶୁକୁ ୨୫ ଟଙ୍କାର ଲୋଭ ଦେଖାଇ ଗୁଣିଗାରେଡ଼ି ସ୍ଥଳକୁ ନେଇଯାଇଥିଲେ। ସତ୍ୟରଞ୍ଜନ ପୁଅକୁ ନ ପାଇବାରୁ ବହୁ ଖୋଜାଖୋଜି କରିଥିଲେ। ଶେଷରେ ବସ୍ତିଠାରୁ କିଛି ଦୂରରେ ରାତିରେ ନିଛାଟିଆ ସ୍ଥାନରେ ପହଞ୍ଚି ଦେଖିବାକୁ ପାଇଥିଲେ କିଛି ଲୋକ ପୂଜା ପାଠ କରୁଛନ୍ତି ଓ ଘଟଣାସ୍ଥଳରେ ୨ଜଣ ପୁରୁଷ, ୨ଜଣ ମହିଳା ଓ ଜଣେ ଗୁଣିଆ ଉପସ୍ଥିତ ଅଛନ୍ତି। ସେମାନେ ସତ୍ୟରଞ୍ଜନଙ୍କ ୭ ବର୍ଷର ପୁଅକୁ ଉଲଗ୍ନ କରି ଫୁଲମାଳ, ସିନ୍ଦୂର ଲଗାଇ ପୂଜା ପାଠ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏହାଦେଖି ସତ୍ୟରଞ୍ଜନ ସେମାନଙ୍କ କବଳରୁ କୌଣସି ପ୍ରକାରେ ନିଜ ଛୁଆକୁ ଉଦ୍ଧାର କରିଥିଲେ।

ଏହି ଘଟଣାକୁ ନେଇ ସତ୍ୟରଞ୍ଜନ ବସ୍ତିର ଭଦ୍ରଲୋକଙ୍କୁ ଜଣାଇଥିଲେ। ହେଲେ ଘଟଣାର ସମାଧାନ ହୋଇପାରି ନ ଥିଲା। ଶେଷରେ ଗତକାଲି ଜଟାଧାର ମୁହାଣ ଥାନା ଏତଲା ଦେଇଥିଲେ ସତ୍ୟରଞ୍ଜନ। ପୋଲିସ୍‌ ଉକ୍ତ ଗୁଣିଆଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟପକ୍ଷେ, ସମ୍ପୃକ୍ତ ଗୁଣିଆ ଜଣକ ପୂଜାର୍ଚ୍ଚନା କଥାକୁ ସ୍ୱୀକାର କରୁଥିଲେ ମଧ୍ୟ ଶିଶୁ ବଳି ଉଦ୍ୟମ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

You might also like