ଅଧାରେ ରହିଗଲା ଫେସ୍‌ବୁକ୍ ପ୍ରେମ, ବିବାହ ବେଦୀରୁ ଉଠାଇ ନେଲା ପୋଲିସ୍

ଖୋର୍ଦ୍ଧା: ଫେସ୍‌ବୁକ୍‌ରେ ଗଢ଼ିଲା ଉଠିଲା ପ୍ରେମ। ପରିବାରକୁ ବିରୋଧ କରି ବିବାହ କରିବାକୁ ସ୍ଥିର କଲେ ଯୁବକ ଓ ଯୁବତୀ। ହେଲେ ବିବାହ ବେଦୀରୁ ଉଠାଇ ନେଲା ପୋଲିସ୍। ଏଭଳି କିଛି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ ଥାନା ପଲ୍ଲା ଲୋକେଶ୍ୱରଙ୍କ ମନ୍ଦିର ନିକଟରେ।

ଗତକାଲି ବିବାହ କାର୍ଯ୍ୟ ଚାଲି ଥିବାବେଳେ କନ୍ୟାଙ୍କ ବୟସକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ। ଯୁବତୀ ଜଣକ ନାବାଳିକା ହୋଇଥିବା ନେଇ ପୋଲିସ୍ ଜାଣିବା ପରେ ବିବାହକୁ ଅଧାରୁ ବନ୍ଦ ରଖିବା ସହ ବରଙ୍କୁ ନିଜ ହେପାଜତକୁ ନେଇଛି। ତେବେ ତାଙ୍କୁ ୧୮ ବର୍ଷରୁ ଅଧିକ ବୋଲି ଦାବି କରିଥିଲେ କନ୍ୟା। ଏନେଇ ବିବାହ ବେଦୀ ନିକଟରେ କିଛି ସମୟ ବିବାଦ ଦେଖା ଦେଇଥିଲା।  ଘଟଣା ପରେ ପୋଲିସ୍ ସମ୍ପୃକ୍ତ ଯୁବତୀଙ୍କ ପ୍ରକୃତ ବୟସ କେତେ ସେନେଇ ଯାଞ୍ଚ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ଗତ ୮ ମାସ ଧରି ସମ୍ପୃକ୍ତ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଫେସବୁକ୍‌ରେ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଏସମ୍ପର୍କରେ ଯୁବତୀଙ୍କ ପରିବାର ଲୋକେ ଜାଣିବା ପରେ ତାଙ୍କ ମୋବାଇଲ୍ ଛଡ଼ାଇ ରଖିବା ସହ ମାଡ଼ ମାରିଥିଲେ। ତେଣୁ ନୟାଗଡ଼ ଡିମିରିପାଟଣା ଘରୁ ଖୋର୍ଦ୍ଧାରେ ରହୁଥିବା ଉକ୍ତ ଯୁବକଙ୍କ ପାଖକୁ ଚାଲି ଆସିଥିଲେ ଯୁବତୀ ଜଣକ।

You might also like