ବାତ୍ୟାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

ଭଦ୍ରକ: ବାତ୍ୟା ଅମ୍ପନର ପ୍ରବଳ ବର୍ଷାରେ ମାଟି ଘର କାନ୍ଥ ପଡ଼ି ୩ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ହୋଇଛି। ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡ଼ା ପଞ୍ଚାୟତ ଦକ୍ଷିଣପାରି ଗାଁରେ।

ଗତକାଲିଠାରୁ ପ୍ରବଳ ବର୍ଷା ଯୋଗୁଁ ଏହି ଗାଁର ବଳରାମ ଦାସଙ୍କ ମାଟି ଘର କାନ୍ଥ ଖସି ପଡ଼ିଥିଲା। ରାତିରେ ମାଆ ଓ ଶିଶୁ ପୁତ୍ର ଶୋଇଥିଲା ବେଳେ ସେମାନଙ୍କ ଉପରେ ପଡ଼ି ଯାଇଥିଲା ମାଟି କାନ୍ଥ। ଏଥିରେ ମାଆ ସାମାନ୍ୟ ଆହତ ହୋଇଥିଲା ବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି।

ଅମ୍ପନ ବାତ୍ୟାରେ କେନ୍ଦ୍ରାପଡ଼ା ସାତଭାୟାର ଜଣେ ମହିଳାଙ୍କର ମୃତ୍ୟୁ ନେଇ ସୂଚନା ମିଳିଥିବା ଟ୍ୱିଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମହିଳା ଜଣକ ହେଲେ ୫୭ ବର୍ଷୀୟା କୋଇଲି ବେହେରା। ତେବେ ସେ ବାତ୍ୟା ଆଶ୍ରୟସ୍ଥଳକୁ ନଯାଇ ଘରେ ଥିଲେ।

ବାତ୍ୟା ଅମ୍ପନ ପ୍ରଭାବରେ ପବନ ହେବା ଯୋଗୁ ଘର ଉପରେ ଗଛ ପଡ଼ି ୩ ଆହତ ହୋଇଛନ୍ତି।  ବାଲେଶ୍ୱର ଜିଲ୍ଲା ସୋର ପଠାନ ମହଲା ଅଞ୍ଚଳରେ ଜଣଙ୍କ ଘର ଉପରେ ଗଛ ପଡ଼ିଯାଇଥିଲା। ଆଜବେଷ୍ଟ ଘରେ ଥିବା ବେଳେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ଲାଗି ସୋର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।

କେନ୍ଦ୍ରାପଡ଼ାରେ ମଧ୍ୟ ବାତ୍ୟା ପ୍ରଭାବ ଦେଖିବାକୁ ମିଳିଛି। ଘେରି ବନ୍ଧ ଭାଙ୍ଗି ଗାଁ ଭିତରକୁ ପସିଛି ସମୁଦ୍ର ପାଣି। ରାଜନଗର ବ୍ଲକ ଅନ୍ତର୍ଗତ ଇଶ୍ୱରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ପାଣି ପଶିଯାଇଥିବା ଜଣାପଡ଼ିଛି। ଘେରି ବନ୍ଧ ଭାଂଗି ଗାଁକୁ ପଶି ଯାଇଛି ପାଣି ଗାଁରେ ଥିବା ୪୦ ପରିବାର ପ୍ରଭାବିତ ହୋଇଛନ୍ତି।

ସେହିପରି ଜଗତସିଂହପୁରରେ ବାତ୍ୟା ଅମ୍ପନର ପ୍ରଭାବ ବି ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାଠୁ ଜଗତସିଂହପୁର ଜିଲ୍ଲାରେ ବର୍ଷା ଜାରି ରହିଛି। ତେବେ ଗତ ମଧ୍ୟ ରାତ୍ରରୁ ବର୍ଷା ପରିମାଣ ବଢିବା ସହ ପବନର ବେଗ ମଧ୍ୟ ବଢିଛି।

ବିଶେଷ କରି ଏରସମା, କୁଜଙ୍ଗ ଓ ବାଲିକୁଦା ବ୍ଲକରେ ପବନର ବେଗ ଅଧିକ ରହିଛି। ଏସବୁ ଅଞ୍ଚଳରେ ଛୋଟ ବଡ଼ ଗଛ ଭାଙ୍ଗିଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ କିଛି ସ୍ଥାନରେ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି।

ଏଥିପାଇଁ ଗତକାଲି ରାତିରୁ ବିଦ୍ୟୁତ୍ ସେବା ବ୍ୟାହାତ ହୋଇଛି। ପ୍ରାୟ ୧୦ ହଜାର ଲୋକଙ୍କ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

You might also like