ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର : ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ଖୁସୀ ଖବର। ୟାସ୍ ବାତ୍ୟା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଦାବି କରାଯାଉଥିବା ଦୁର୍ଘଟଣାଜନିତ ସହାୟତା ୧୦ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ପ୍ରତ୍ୟେକ ସ୍ଥାୟୀ, ଅସ୍ଥାୟୀ ଓ ଏଜେନ୍ସି ଅଧିନରେ ଠିକାରେ କାର୍ଯ୍ୟରତ କର୍ମଚାରୀ ଏହି ସୁବିଧା ପାଇବେ। ଟାଟା ପାଓ୍ୱାର ଓ ରାଜ୍ୟ ସରକାର ଏହି ଅର୍ଥ ପ୍ରଦାନ କରିବା ପାଇଁ ବିଭାଗୀୟ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି।

ବିଗତ ୪ଟି ବଡ ବାତ୍ୟାରେ ବିଦ୍ୟୁତ୍ କର୍ମଚାରୀ ବିଶେଷ କରି ଏଜେନ୍ସି ଅଧିନରେ କାର୍ଯ୍ୟରତ ଠିକା କର୍ମଚାରୀମାନେ କୌଣସି ଦୁର୍ଘଟଣଜନିତ ସହାୟତା ପାଇ ପାରି ନ ଥିଲେ । ଫନି, ହୁଡ଼ହୁଡ଼, ତିତଲି, ଫାଇଲିନ୍ ଭଳି ବାତ୍ୟାରେ ଶତାଧିକ କର୍ମଚାରୀ ମୃତ୍ୟୁବରଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ପାଇ ପାରି ନଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସଂପୃକ୍ତ ବିଭାଗର ଏହି ପ୍ୟାକେଜ୍ ଘୋଷଣା ପରେ ଜଣେ ସ୍ଥାୟୀ କର୍ମଚାରୀ ୩୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ।  ଅପରପକ୍ଷରେ ବିଭିନ୍ନ ଏଜେନ୍ସି ଅଧୀନରେ କାର୍ଯ୍ୟରତ ଠିକା ଶ୍ରମିକ ୧୦ଲକ୍ଷ ଟଙ୍କା ଓ କର୍ମଚାରୀ କ୍ଷତିପୂରଣ ଆଇନ୍ ୧୯୨୩ ଅନୁଯାୟୀ ସର୍ବନିମ୍ନ ୧୦ ରୁ ୧୫ଲକ୍ଷ ପାଇ ପାରିବାର ସୁଯୋଗ ସୃଷ୍ଟି ହୋଇପାରିଲା । ଏହି ଘୋଷଣା ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ଦୀର୍ଘ ଦିନର ସଂଗ୍ରାମର ଏକ ବଡ ସଫଳତା ବୋଲି ମହାସଂଘ ସଭାପତି ତଥା ସାଂସଦ ଶ୍ରୀ ସୁବାସ ସିଂହ, କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜୀବ ମହାନ୍ତି, ସାଧାରଣ ସଂପାଦକ ଶ୍ରୀ ଅମର କୁମାର ପ୍ରତାପ ସିଂ ସ୍ୱାଗତ କରିବା ସଂଗେସଂଗେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପୂର୍ବରୁ ବିଦ୍ୟୁତ୍ କର୍ମଚାରୀମାନଙ୍କୁ ବତ୍ୟା ପରବର୍ତ୍ତୀ କାର୍ଯ୍ୟ ପାଇଁ କୌଣସି ପାରିଶ୍ରମିକ ବୃଦ୍ଧି କରାଯାଇ ନଥିଲା । ସେମାନେ ରାଜ୍ୟସରକାରଙ୍କ ଶ୍ରମ ବିଭାଗ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରିରେ କାର୍ଯ୍ୟ କରୁଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ଏହି ସର୍ବନିମ୍ନ ମଜୁରିକୁ ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ପାଇଁ ବୃଦ୍ଧି କରିଦିଆଯାଇଛି । ଏହି ଧାର୍ଯ୍ୟ ମଜୁରି ହିସାବରେ ଜଣେ କର୍ମଚାରୀ ମାସକୁ ୧୪ ହଜାରରୁ ୧୮ହଜାର ଟଙ୍କା ପାଇପାରିବେ, ଯାହାକି ପୂର୍ବ ତୁଳନାରେ ୬୫% ଭାଗ ଅଧିକ ପାଇବେ।  ଏହା ବ୍ୟତିତ ସେମାନଙ୍କୁ ଦୈନିକ ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ଯାହାକି ପୂର୍ବରୁ ୧୦୦ଟଙ୍କା ଥିଲା ତାହାକୁ ବୃଦ୍ଧି କରାଯାଇ ୧୭୫ ଟଙ୍କା ପ୍ରଦାନ ଓ କରୋନା କାଳରେ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ପାଇଁ ୩ ଲେୟର ବିଶିଷ୍ଟ ମାସ୍କ ପ୍ରଦାନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

You might also like