ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ପୁଣି ବିବାଦ

ଭୁବନେଶ୍ୱର : ଛତିଶଗଡ଼ରେ ପ୍ରବଳ ବର୍ଷା। ଜଳଭଣ୍ଡାରରେ ବଢୁଛି ଜଳସ୍ତର। ମହାନଦୀ ଦେଖାଇଲାଣି କରାଳ ରୂପ। କଲ୍‌ମା ଭଳି  ହୀରାକୁଦ ଉପର ମୁଣ୍ଡରେ ଥିବା ଶିବରି ନାରାୟଣ ବ୍ୟାରଜ୍ ଉପରେ ଚାଲିଛି ଅାଣ୍ଠୁଏ ଉଚ୍ଚର ପାଣି। କଲ୍‌ମା ବ୍ୟାରଜର ଉପର ମୁଣ୍ଡରେ ଥିବା ଗାଁ, ମନ୍ଦିର ସବୁକିଛି ପାଣି ଘେରରେ।

ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ସୁଖାସୋଡ଼ାର ଦୃଶ୍ୟ ମଧ୍ୟ କିଛି ଏହିପରି । ନଦୀରେ ପାଣି ଭର୍ତ୍ତି। ମହାନଦୀ ଫୁଲିବା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି। ଯାହାକୁ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ପୁଣି ମୁଣ୍ଡ ଟେକିଛି ବିବାଦ।

ଛତିଶଗଡ଼ର ବିଭିନ୍ନ  ଜଳଭଣ୍ଡାରରେ ଅଧିକ ପାଣି ରଖି ବର୍ଷା ହେଲା ପରେ ହଠାତ୍ ଛଡା ଯାଉଥିବାରୁ  ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହେଉଛି ବୋଲି ବିଜେଡି ଅଭିଯୋଗ କରିଛି। ତାସହ ଛତିଶଗଡ଼ର ବନ୍ୟା ପରିଚାଳନା ନେଇ ବି ପ୍ରଶ୍ନ ଉଠାଇଛି ଦଳ। ଏନେଇ କଂଗ୍ରେସ୍ ଛତିଶଗଡ଼କୁ ଟାର୍ଗେଟ କରିବା ସହ ରାଜ୍ୟ ସରକାରଙ୍କୁ ବି ସମାଲୋଚନା କରିଛି।

ସେପଟେ ଛତିଶଗଡ଼ ଜଳସଂପଦ ମନ୍ତ୍ରୀ କହିଛନ୍ତି ଯେ ଦୁଇ ରାଜ୍ୟ ମଧ୍ୟରେ ସମନ୍ୱୟ କରି ପାଣି ଛଡାଯାଉଛି। ଏଭଳି ସମନ୍ୱୟ ରହିଲେ କୌଣସି ଅସୁବିଧା ହେବ ନାହିଁ।

ଛତିଶଗଡ ହଠାତ୍ ପାଣି ଛାଡିବା ନେଇ ଓଡ଼ିଶା ଅାସିଥିବା କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲଙ୍କୁ ଅବଗତ କରିଛନ୍ତି ରାଜ୍ୟ ଜଳସଂପଦ ସଚିବ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦୁଇ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷାକରି ଜଳ ପରିଚାଳନା କରିବାର ଅାବଶ୍ୟକତା ରହିଛି। କେଉଁ ସମୟରେ କେତେ ପାଣି ଛଡ଼ାଯିବ ସେ ନେଇ ଉଭୟ ରାଜ୍ୟ ମଧ୍ୟରେ ଏସ୍ଓପି ହେବା ଅାବଶ୍ୟକ ବୋଲି ସେ ମତ ଦେଇଛନ୍ତି। ସମସ୍ୟା ସଂପର୍କରେ ଛତିଶଗଡ଼ ସରକାରଙ୍କ ସହ ସେ ଅାଲୋଚନା କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ମହାନଦୀକୁ ନେଇ ବିଜେଡି ପୂର୍ବରୁ କେନ୍ଦ୍ର ଓ ଛତିଶଗଡ଼ ସରକାର ଉପରେ ଦୋଷ ଲଦି ଅାସିଛି। ଏବେ ଯେଉଁ ଅଭିଯୋଗ ଅାଣିଛି, ତାହା ରାଜନୈତିକ ଦୃଷ୍ଟିକୋଣରୁ ନା ସେଥିରେ କିଛି ବାସ୍ତବତା ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି।

You might also like