ବାଦାମବାଡ଼ି-ମଧୁପାଟଣା ରାସ୍ତାକୁ ଉଠି ଆସିଲା ଛତ୍ରବଜାର ଖୁଚୁରା ହାଟ

କଟକ: ରାଜଧାନୀର ଏକ ନମ୍ବର ହାଟ ପରେ କଟକ ଛତ୍ରବଜାର ଖୁଚୁରା ହାଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଛି। କରୋନା ଯୋଗୁଁ ସାମାଜିକ ଦୂରତ୍ୱ ରକ୍ଷା ତଥା ହାଟରେ ଅତ୍ୟଧିକ ଭିଡ଼କୁ ଏଡାଇବା ପାଇଁ  ଏପରି ନିଷ୍ପତ୍ତି ନିଆଯାଇଛି। କଟକ ଛତ୍ରବଜାର ଖୁଚୁରା ହାଟକୁ ବାଦାମବାଡ଼ି-ମଧୁପାଟଣା ରାସ୍ତାର ଉଭୟ ପାର୍ଶ୍ୱକୁ ସ୍ଥାନାନ୍ତର କରାଯିବ।

ରାସ୍ତାର ଦୁଇ ପାଖରେ ବସିବେ ପରିବା ଦୋକାନୀ। ପ୍ରତି ପରିବା ଦୋକାନ ମଧ୍ୟରେ ୬ ଫୁଟର ଦୂରତା ରହିବ। ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଗାଇଡଲାଇନ ଅନୁସାରେ ଦୂରତ୍ୱ ରହିବ। ହାଟ ସ୍ଥାନାନ୍ତର ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି ବୋଲି କଟକ DCP ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।

ସେପଟେ ଭୁବନେଶ୍ୱର ୟୁନିଟ୍‌-୧ ହାଟର ପରିବା ବ୍ୟବସାୟୀଙ୍କୁ ଏଜି ଛକରୁ ରାଜମହଲ ମଧ୍ୟରେ ବସାଯାଇଛି। ଆଉ କିଛି ବ୍ୟବସାୟୀଙ୍କୁ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ ବସାଯାଇଛି। ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏପରି ପଦକ୍ଷେପ ନେଇଛି। ମହାମାରୀ ‘କରୋନା’ ପାଇଁ ହାଟକୁ ୪୫ ଦିନ ଲାଗି ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

You might also like