ଅନ୍‌ଲାଇନ ଡେଲିଭରି ନାଁରେ ଠକେଇ

ମୋବାଇଲ ବଦଳରେ ସାବୁନ ପାଇଲେ ଗ୍ରାହକ

ବାରିପଦା  : ଅନ୍‌ଲାଇନ ଅର୍ଡର କରୁଥିଲେ ସାବଧାନ। କାରଣ ଆପଣ ମଧ୍ୟ ହୋଇପାରନ୍ତି ଠକେଇର ଶୀକାର। ଏଭଳି ଅନ୍‌ଲାଇନ୍‌ ଡେଲିଭରି ନାଁରେ ଅଭିନବ ଠକେଇର ଶୀକାର ହୋଇଛନ୍ତି ବାରିପଦାର ଜଣେ ଗ୍ରାହକ।

କୋରିଅର ପ୍ୟାକେଟ୍‌ରେ ମୋବାଇଲ ବଦଳରେ ଗ୍ରାହକଙ୍କୁ ମିଳିଛି ସାବୁନ। ଅଭିଯୋଗ ଆଧାରରେ କୋରିଅର ସଂସ୍ଥାର ମ୍ୟାନେଜର ଅଭିଶେଖ ବେହେରା ଏବଂ ଡେଲିଭରି ବୟ ପ୍ରକାଶ ଚନ୍ଦ୍ର ନାୟକକୁ ଗିରଫ କରିଛି ପୁଲିସ।

ଘଟଣା ଅନୁଯାୟୀ, ବାରିପଦାର ଜଣେ ବ୍ୟକ୍ତି ଅନ୍‌ଲାଇନ ମାଧ୍ୟମରେ ଏକ ଦାମିକିଆ ମୋବାଇଲ ଫୋନ ଅର୍ଡର କରିଥିବାବେଳେ ଗତ ୧୩ ତାରିଖ ଦିନ ଡେଲିଭରି ଡଟ୍‌ କମ୍ ସଂସ୍ଥାର ଡେଲିଭରି ବୟ ପ୍ରକାଶ ଚନ୍ଦ୍ର ନାୟକ ଡେଲିଭର କରିଥିଲେ। ହେଲେ ପ୍ୟାକେଟ୍‌ ଖୋଲିବା ପରେ ମୋବାଇଲ ବଦଳରେ ଏଥିରେ ସାବୁନ ପାଇଥିଲେ।

ଗ୍ରାହକ ଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ଇଏମ୍‌ଆଇ ନମ୍ବରକୁ ଟ୍ରାକ୍‌ କରି ଏହି ମୋବାଇଲକୁ ବ୍ୟବହାର କରାଯାଉଥିବା ଜଣା ପଡିଥିଲା। ସଂସ୍ଥାର ମ୍ୟାନେଜର ଏବଂ ଡେଲିଭରି ବୟ କଂପାନୀ ସିଲ୍‌କୁ ଟାମ୍ପରିଙ୍ଗ କରି ଗ୍ରାହକଙ୍କୁ ଠକିଥିବା କଥା ସାମ୍ନାକୁ ଆସିଥିଲା। ପଚରାଉଚରା ପରେ ଠକେଇ ଘଟଣାରେ ଜଡିତ ଅଭିଯୁକ୍ତ ମ୍ୟାନେଜର ଏବଂ ଡେଲିଭରି ବୟ ଠାରୁ ୪ଟି ଦାମୀ ମୋବାଇଲ, ଗୋଟିଏ ଲାପଟପ୍, ବିଭିନ୍ନ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଏବଂ ଏଟିଏମ୍‌ କାର୍ଡ ସହ ନଗଦ ଟଙ୍କା ଜବତ କରିଛି ପୁଲିସ।

ଏମାନଙ୍କ ବିରୋଧରେ ଆଇପିସିର ଧାରା ୪୧୭,୪୨୦ ଏବଂ ୩୭୯ ଲଗାଯାଇ କୋର୍ଟ ଚାଲାଣ କରାଯାଇଛି।

You might also like