ଆଉ ଏକ ରଥଯାତ୍ରା ଆସିଲାଣି:ଏଯାଏଁ ଖଞ୍ଜା ହୋଇପାରିଲାନି ତିନି ରଥ

ସେବାୟତ ଓ ଭକ୍ତଙ୍କ ମନରେ କ୍ଷୋଭ

ପୁରୀ (ମଧୁସୂଦନ ମିଶ୍ର): ଗତ ବର୍ଷ ରଥଯାତ୍ରାରେ ଯେଉଁ ରଥ ତିଆରି ହୋଇଥିଲା, ସେହି ତିନି ରଥକୁ ସଂଗ୍ରହାଳୟରେ ରଖିବାକୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେତେବେଳେ କୁହାଯାଇଥିଲା, ଯେହେତୁ ଭକ୍ତମାନେ ପୁରୀ ଆସି ରଥଯାତ୍ରା ଦେଖିପାରିନାହାନ୍ତି, ସେଥିପାଇଁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ ୩ ରଥକୁ ରଖାଯିବ। ଏହା ଦ୍ୱାରା ଭକ୍ତମାନେ ୩ ରଥକୁ ଦେଖିପାରିବେ କିନ୍ତୁ ବିଡମ୍ବନା, ସେ ରଥଯାତ୍ରା ଯାଇ ଆଉ ଏକ ରଥଯାତ୍ରା ଆସିଲାଣି, ହେଲେ ତିନି ରଥ ଖଞ୍ଜା ହୋଇପାରିଲା ନାହିଁ। ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ।

କରୋନା ଯୋଗୁଁ ୨୦୨୦ ରଥଯାତ୍ରାକୁ ଚର୍ମ ଚକ୍ଷୁରେ ଦେଖିପାରିନଥିଲେ ଭକ୍ତ ବିନା ଭକ୍ତରେ ହେଲା ମହାପ୍ରଭୁଙ୍କ ରଥଯାତ୍ରା ତେଣୁ ତିନି ରଥକୁ ସଂଗ୍ରହାଳୟରେ ରଖାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟ କ ଏବଂ ଭକ୍ତ ସେହି ତିନି ରଥକୁ ଦେଖିବାର ସୁଯୋଗ ପାଇବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ଗତ ଜୁଲାଇ ୨୨ରେ ନିଆଯାଇଥିବା ଏହି ନିଷ୍ପତ୍ତି ଏଯାଏଁ କାର୍ଯ୍ୟକାରୀ ହୋଇନି। ଏବର୍ଷ ରଥଯାତ୍ରା ପାଖେଇ ଆସିଲାଣି, କାଠ ଆସି ପହଞ୍ଚିଲାଣି ବଡ଼ଦାଣ୍ଡରେ କିନ୍ତୁ ତିନି ରଥକୁ ଆଜି ପର୍ଯ୍ୟନ୍ତ ଖଞ୍ଜା ହୋଇପାରିଲା ନାହିଁ।

ଇତିହାସରେ ପ୍ରଥମ ଥର ତିନି ରଥକୁ ଭଙ୍ଗାନଯାଇ ସଂରକ୍ଷଣ କରିବାର ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚକଠାରୁ ଆରମ୍ଭ କରି ପୋଟଳ, ପାରାଭାଡି, କଳସ, ସିଂହାସନ, ପ୍ରଭା ଇତ୍ୟାଦିକୁ ରାସାୟନିକ ପଦାର୍ଥ ଦିଆଯାଇ ସଂରକ୍ଷଣ କରାଯାଇଛ॥ ତେବେ ତିନି ରଥ ଖଞ୍ଜିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିନଥିବା କହିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା। ସେପଟେ ମ୍ୟୁଜିୟମରେ ରଖିବାକୁ ବ୍ୟବସ୍ଥା ଚାଲିଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

ସେପଟେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କାଠ। ଚଳିତ ବର୍ଷର ରଥଯାତ୍ରା ଲାଗି ନୟାଗଡ ବନଖଣ୍ଡରୁ ଆସିଥିବା ଅସନ ଓ ଧଉରା କାଠ ପୁରୀରେ ପହଞ୍ଚିଛି। ନୟାଗଡ ବନଖଣ୍ଡରୁ ୪୯ ଖଣ୍ଡ କାଠ ବୋଝେଇ ଦୁଇଟି ଟ୍ରକ ପୁରୀ ବଡଦାଣ୍ଡ ଖଳାରେ ପହଞ୍ଚିଛି। ଏଥିସହ ଚଳିତ ବର୍ଷର ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେଉଛି। ଆସନ୍ତା ୧୬ ତାରିଖରେ ଶ୍ରୀପଞ୍ଚମୀ ଦିନ ରଥ କାଠ ଅନୁକୂଳ ହେବ। ରଥ ନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ ମଧ୍ୟରୁ ଗତବର୍ଷ ୬୯ ଖଣ୍ଡ କାଠ ବଳକା ରହିଛି। ଚଳିତ ବର୍ଷ ପାଇଁ ବାକି ୭୯୬ ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସିବ। ଏହା ପୂର୍ବରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଏବଂ ନାମସଂକୀର୍ତ୍ତନ ପରେ ନୟାଗ଼ଡ ଜିଲ୍ଲା ଦଶପଲ୍ଲାରୁ ପୁରୀ ଅଭିମୁଖେ ବାହାରିଥିଲା ରଥ କାଠ ବୋଝେଇ ୨ଟି ଟ୍ରକ ।

ଅନ୍ୟପଟେ  ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ବର୍ଷକ ଥରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହୋଇଥାନ୍ତି। ବେଶ ଅତିବ କମନୀୟ ଦୁର୍ଲଭ ବେଶ।  ଶୁକ୍ଳପକ୍ଷ ପ୍ରତିପଦାଠାରୁ ବସନ୍ତ ପଞ୍ଚମୀ ଭିତରେ ବୁଧବାର କିମ୍ବା ଶନିବାର ଏହି ବେଶରେ ବିଭୂଷିତ ହୋଇଥାନ୍ତି ଶ୍ରୀଜୀଉ।  ବଡଶୃଙ୍ଗାର ବେଶରେ ମହାପ୍ରଭୁ ରତ୍ନସିଂହାସନରେ ପଦ୍ମବେଶରେ ବିଭୂଷିତ ହେବେ। ମଙ୍ଗଳା ଆରତୀ ଏବଂ ଅବକାଶ ପୂଜା ପୂର୍ବ ପର୍ଯ୍ୟନ୍ତ ଦର୍ଶନ କରାଯିବ। ବେଶରେ ମହାପ୍ରଭୁଙ୍କୁ ଅମାଲୁ ଏବଂ ଖିରି ଭୋଗ କରାଯାଇଥାଏ।

You might also like