“ମୁଁ ପିଏଚ୍‌ଡ଼ି କରିଛି, ମତେ ବ୍ୟବହାର ଶିଖାଅ ନାହିଁ”

ଗୃହ ଭିତରେ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା

  • ତେଜୁଛି ବିଜେଡି ବିଧାୟକ ବ୍ୟୋମକେଶଙ୍କ ଧମକପୂର୍ଣ୍ଣ ଅଡିଓ ବିବାଦ
  • ଗୃହ ଭିତରେ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା
  • ନିରପେକ୍ଷ ତଦନ୍ତ ଓ ଆଚରଣରେ ଶାଳୀନତା ନେଇ ବାଚସ୍ପତିଙ୍କ ରୁଲିଂ ଦାବି
  • ବ୍ୟୋମକେଶଙ୍କ ତୋଡ଼, କହିଲେ ମୋତେ ଶିଖାଅନି ଆଚରଣ

ଭୁବନେଶ୍ୱର: ବିବାଦୀୟ ଅଡ଼ିଓ ମାମଲାରେ ବଢ଼ିଲା ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଅଡୁଆ। ଖୋଦ୍ ବିରୋଧୀ ଦଳ ନେତା ଆଜି ବିଧାନସଭାରେ ଏହାକୁ ପ୍ରସଙ୍ଗ କରି ଘଟଣାର ନିରପେକ୍ଷ ତଦନ୍ତ ସହ MLAଙ୍କ ଆଚରଣରେ ଶାଳୀନତା ନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି। ଜବାବରେ ବ୍ୟୋମକେଶ କହିଛନ୍ତି ତାଙ୍କ କଥାବାର୍ତ୍ତାକୁ ବିଭ୍ରାନ୍ତି କରି ଦେଖାଯାଉଛି। ତେଣେ ଶାସକ ଦଳ ମୁଖ୍ୟ ସଚେତକ କହିଛନ୍ତି, ଏହା ଏକ ଛୋଟିଆ କଥା, ଗୃହରେ ପ୍ରସଙ୍ଗ ଉଠିବା ଅନୁଚିତ୍। ବିଧାୟକ ବ୍ୟୋମକେଶ ରାୟ, ଜଣେ ପୋଲିସ୍ ASIଙ୍କୁ ଫୋନକଲରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକର ଅଡିଓ ଗତକାଲି ଭାଇରାଲ୍ ହୋଇଥିଲା।

ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଔଦ୍ଧତ୍ୟର ନମୁନା ଦେଖିବାକୁ ମିଳିଛି। ସରକାରୀ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଳଜା କରିବା ଅଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। କେବଳ ଗାଳି ନୁହେଁ, ଉପାନ୍ତ ମୋଟୁ ଇଲାକାକୁ ବଦଳିର ବି ଦେଉଛନ୍ତି ଧମକ ବିଧାୟକ। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସେହି ଅଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବାଂଶଡ଼ା ଥାନା ASIଙ୍କୁ ଦେଉଛନ୍ତି ଖୋଲା ଧମକ। ଏହି ଅଡ଼ିଓ ଭାଇରାଲ୍ ହେବା ପରେ ବଢ଼ିଛି ବିବାଦ। ଜଣେ ଜନପ୍ରତିନିଧିଙ୍କ ଏଭଳି ଆପତ୍ତିଜନକ ଆଚରଣ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି।

କେଉଁଠି ବିକ୍ଷୋଭ ତ ଆଉ କେଉଁଠି ପୋଷ୍ଟର ସହ କୁଶପୁତ୍ତଳିକା ଦାହ ବି ହୋଇଛି। ବ୍ୟୋମକେଶଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନହେଲେ ଭୟଙ୍କର ଆନ୍ଦୋଳନର ଚେତାବନୀ ବି ଦେଇଛି ଦଳ। କେବଳ ରାସ୍ତାରେ ନୁହେଁ ବିଧାନସଭାରେ ବି ଉଦବେଗ ପ୍ରକାଶ ପାଇଛି। ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଶାସକ ଦଳକୁ ନିଶାନା କରି କହିଛନ୍ତି, ବ୍ୟୋମକେଶଙ୍କ ଏହି ଭାଇରାଲ ଅଡିଓରୁ ଜଣାପଡୁଛି, କେମିତି ଚାଲିଛି ରାଜ୍ୟରେ ଶାସନ। ଏହାର ନିରପେକ୍ଷ ତଦନ୍ତ ସହ MLA ମାନେ ଯେମିତି ନିଜ ଆଚରଣରେ ଶାଳୀନତା ରଖିବେ, ସେଥିପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ସେ ଦାବି ରଖିଛନ୍ତି। କଂଗ୍ରେସ୍ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଜନପ୍ରତିନିଧିଙ୍କ ଏଭଳି ଆଚରଣକୁ ନେଇ ପ୍ରଶ୍ନ ଉଠାଉଛି।

ବ୍ୟୋମକେଶ ଯେଉଁ ପୋଲିସ ଅଧିକାରୀଙ୍କୁ ଧମକ ଦେଉଛନ୍ତି, ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଏଏସ୍ଆଇ ଗୁରୁଚରଣ ବେହେରା। ଏହି ବାର୍ତ୍ତାଳାପକୁ ନେଇ ଝଡ଼ ଉଠିବା ପରେ ଗୃହରେ ବିବୃତ୍ତି ରଖିଛନ୍ତି ବ୍ୟୋମକେଶ। କହିଛନ୍ତି, ପୋଲିସ ବାବୁ ଜଣକ ଗରିବଙ୍କୁ ହଇରାଣ ହରକତ କରି ଟଙ୍କା ଆଦାୟ କରୁଥିଲେ। ମୋ କଥାବାର୍ତ୍ତାକୁ ବିଭ୍ରାନ୍ତି କରି ଦେଖାଯାଉଛି। ମୁଁ ପିଏଚ୍ଡି କରିଛି, କାହାକୁ କେମିତି ବ୍ୟବହାର କରାଯିବ, ତାହା ମତେ ଶିଖାଇବା ଦରକାର ନାହିଁ। ଆଉ ତାଙ୍କ ସପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରତିକ୍ରିୟାରେ ଏହାକୁ ଛୋଟିଆ କଥା ବୋଲି କହିବା ସହ ଏ ପ୍ରସଙ୍ଗ ଗୃହରେ ଉଠିବା ଅନୁଚିତ ବୋଲି କହିଛନ୍ତି।

ନେତାଙ୍କ ଏଭଳି ଆଚରଣ କିଛି ନୂଆ ନୁହେଁ। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହୁଅନ୍ତୁ କି ସରୋଜ ମେହେର ଅବା ବିଜେଡି ନେତା ଆୟୁବ ଖାନ୍ ହୁଅନ୍ତୁ। ଏକାଧିକ ନେତା ପୂର୍ବରୁ ଏଭଳି ନିନ୍ଦନୀୟ ଆଚରଣ କରି ବିବାଦରେ ଫସିଛନ୍ତି। ତେବେ ପୋଲିସ୍ ବାବୁ ଭୁଲ୍ କରୁଥିଲେ ବି ଚାନ୍ଦବାଲି ବିଧାୟକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲୋଜ କରି ଡିଜିଙ୍କୁ ପ୍ରଭାବିତ କରି ବଦଳିର ଧମକ ଦେବା କେତେଦୂର ଠିକ୍ ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ଠିଆ ହୋଇଛି।

ଭଦ୍ରକରୁ ପାର୍ଥସାରଥୀ ନାୟକ, ଚାନ୍ଦବାଲିରୁ ବାସୁଦେବ ଦାସ ଏବଂ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

 

You might also like