ପୁରୀ: ଯେଉଁ ଶ୍ରୀମନ୍ଦିର ଦିନେ ଗହଳଚହଳରେ ଫାଟି ଫଡୁଥିଲା ଆଜି ସେଠି ନିରବତାର ରାଜୁତି। କାଳିଆକୁ ଦର୍ଶନ ନ କରି ଭକ୍ତ ବି ହତାଶ । କରୋନା କଟକଣା ଭକ୍ତ-ଭଗବାନଙ୍କ ମଧ୍ୟରେ ଯେମିତି ବାଡ ପକେଇ ଦେଇଛି। ଭକ୍ତଙ୍କ ପାଇଁ ସିନା ମନ୍ଦିର ମନା। ହେଲେ କାଳିଆର ରୀତିନୀତି କେମିତି ହେବ ? ପାଖେଇ ଆସୁଛି ଚନ୍ଦନ ଯାତ। ଠାକୁରଙ୍କ ଜଳକ୍ରୀଡ଼ା କ’ଣ ହେବନି ?
ନିର୍ଦ୍ଧାରିତ ଦୂରତା ରକ୍ଷା କରାଯାଇ ବିଧି ବିଧାନ ମୁତାବକ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। କିନ୍ତୁ ଜଳକ୍ରୀଡ଼ା ହେବ କି ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମହାଜନ ସେବାୟତ, ସିଂହାରୀ ସେବାୟତଙ୍କ ସହ ନୀତି ପ୍ରଶାସକ ଆଲୋଚନା କରିଥିଲେ।
ଆସନ୍ତା ୨୬ ତାରିଖରେ ଅକ୍ଷୟ ତୃତୀୟା। ସେହିଦିନ ଠାରୁ ୨୧ଦିନ ଧରି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ହେବ। ମହାପ୍ରଭୁ ନରେନ୍ଦ୍ର ପୁଷ୍କରଣୀରେ ଜଳକ୍ରୀଡା କରିବେ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ନେଇ କିଭଳି ଏହି ଯାତ୍ରା ସମ୍ପୂର୍ଣ୍ଣ ହେବ ତାକୁ ନେଇ ଆଲୋଚନା କରାଯାଇଥିଲା ।
ଯେହେତୁ ଏତେ ବଡ ପୁଷ୍କରଣୀ, ସେଠାରେ ଜଳକ୍ରୀଡା ହେଲେ କେତେଦୂର ସାମାଜିକ ଦୂରତା ରକ୍ଷା କରାଯାଇପାରିବ, ସେ ନିଷ୍ପତ୍ତି ପ୍ରଶାସନ ଗ୍ରହଣ କରିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ସେହିପରି ରଥ ନିର୍ମାଣ କାର୍ଯ୍ୟ କିଭଳି ସାମାଜିକ ଦୂରତା ବଜାୟ ରଖାଯାଇ କରାଯିବ, ସେହି ନିଷ୍ପତ୍ତି ମଧ୍ୟ ଶ୍ରୀ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ନେବେ।