ଏଥର ବିନା ଭକ୍ତରେ ହେବ ଚନ୍ଦନ ଯାତ

ପୁରୀ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ପରିସ୍ଥିତିକୁ ଦେଖି ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୨ୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି। ଏହି ଗାଇଡ ଲାଇନ ଅନୁଯାୟୀ, ଧାର୍ମିକ, ସାଂସ୍କୃତିକ କାର୍ଯ ଉପରେ କଟକଣା ଜାରି କରାଯାଇଛି। ଏପରି ପରିସ୍ଥିତିରେ କାଳିଆର ଚନ୍ଦନଯାତକୁ ନେଇ ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖା ଦେଇଛି।

ଆସନ୍ତା ୨୬ ତାରିଖରେ ପଡ଼ୁଛି ଚନ୍ଦନ ଯାତ୍ରା । ୨ୟ ପର୍ଯ୍ୟାୟ ଲକ୍‌ଡାଉନରେ ସୋଶାଲ ଡିଷ୍ଟାନ୍ସିଂରେ ଗୁରୁତ୍ୱ ଦିଆଯାଉଥିବାବେଳେ କେମିତି ଠାକୁରଙ୍କ ନୀତିକାନ୍ତି ହେବ ସେ ନେଇ ସେବାୟତମାନେ ଚିନ୍ତାରେ ପଡ଼ିଛନ୍ତି। ତେବେ ସାମାଜିକ ଦୂରତା ରଖି ଚନ୍ଦନ ଯାତ୍ରାର ସମସ୍ତ ନୀତିକାନ୍ତି ସମ୍ପାଦନ କରାଯିବ ବୋଲି କୁହାଯାଇଛି।

ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଚଳିତବର୍ଷ ଚନ୍ଦନଯାତ୍ରା ବିନା ଭକ୍ତରେ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ତେବେ ବିଧିବଦ୍ଧ ବୈଠକ ବସିନାହିଁ। ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଚନ୍ଦନ ଯାତ ପରେ ଘୋଷଯାତ୍ରା କଥା ବିଚାର କରାଯିବ। ଯଦି  କରୋନା ମହାମାରୀରେ କୌଣସି ପରିବର୍ତ୍ତନ ନହୁଏ ତେବେ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା ମଧ୍ୟ ହେବ।  ଘରେ ବସି ଟିଭି ମାଧ୍ୟମରେ ରଥଯାତ୍ରା ଦେଖିବେ ଭକ୍ତ।

You might also like