୨୦୨୧ରେ ବଦଳିବ କି ରାଜ୍ୟ ରାଜନୀତିର ରଣନୀତି ? କାହା ପାଇଁ କ’ଣ ଚ୍ୟାଲେଞ୍ଜ ରହିବ ଜାଣନ୍ତୁ

ଭୁବନେଶ୍ୱର: କାହା ପାଇଁ କେମିତି ହେବ ବର୍ଷ ୨୦୨୧ ? ନୂଆବର୍ଷ ଆସୁ ଆସୁ ରାଜ୍ୟ ରାଜନୀତିର ସମ୍ଭାବ୍ୟ ପାଣିପାଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ୨୦୨୦ରେ ସାଙ୍ଗଠନିକ ନବକଳେବର ପରେ ୨୧ର ରାଜନୈତିକ ଲଢ଼େଇ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କଂଗ୍ରେସ, ବିଜେପି ଓ ବିଜେଡି। ୨୦୨୪କୁ ଟାର୍ଗେଟ୍ କରି ଏଇ ବର୍ଷ ହିଁ ରାଜନୈତିକ ମୋଡ଼ ବଦଳାଇବା ଲାଗି ଦଳଗୁଡ଼ିକ ପାଇଁ ଭିତ୍ତି ପକାଇବାର ବର୍ଷ ହେବ ବୋଲି କୁହାଯାଉଛି।

ବର୍ଷ ୨୧ରେ ରାଜ୍ୟ ରାଜନୀତିର ପାଣିପାଗ କିଭଳି ରହିବ ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ତେଣୁ ୨୦୨୧ରେ ରାଜନୈତିକ ରଣନୀତି କେମିତି ପରିବର୍ତ୍ତନ ହେବ ତାହାରି ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଆଉ ଏହି ଚର୍ଚ୍ଚାରେ ଆଗରେ ରହିଛି ବିଜେଡି-ବିଜେପି ସଂପର୍କର ଭବିଷ୍ୟତ। କାରଣ ୨୦୧୯ ନିର୍ବାଚନ ପରେ ବର୍ଷେ ୭ ମାସ ଧରି ଏହି ଦଳର ନେତାମାନେ ପରସ୍ପର ପ୍ରତି ନିରବ ଥିଲେ, ଆଉ ବର୍ଷ ୨୦ ଶେଷ ବେଳକୁ ମୁହାଁମୁହିଁ ହେବା ଅରମ୍ଭ ହେଲା। ତେଣୁ ଆଗକୁ ଦୁଳଦଳର ଟଣାଓଟରା କେଉଁ ଦିଗକୁ ଯିବ ଓ କାହା ପାଇଁ କଣ ଚ୍ୟାଲେଞ୍ଜ ରହିବ ତାହା ଜାଣି ନିଅନ୍ତୁ।

ବିଜେପି ପାଇଁ ଚ୍ୟାଲେଞ୍ଜ ସବୁ ହେଉଛି-

  • ବୁଥ୍ ସ୍ତରରେ ସଙ୍ଗଠନ ମଜଭୁତ କରିବା
  • ରାଜ୍ୟ ସରକାରର ବିଫଳତା, ଦୁର୍ନୀତିକୁ ସାମ୍ନାକୁ ଆଣି ସରକାର ବିରୋଧୀ ହାଓ୍ୱା ବନେଇବା।
  • ଏକ ମନ ଏକ ସ୍ୱରରେ ଏକାଠି ହୋଇ ବିଜେଡି ସରକାରକୁ ଘେରିବା
  • ପୌର ଓ ପଂଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି କରିବା।
  • ନୂଆ ମହିଳା ଭୋଟ୍‌ବ୍ୟାଙ୍କ୍ ବନେଇବା ।

ବିଜେଡି ପାଇଁ ଚ୍ୟାଲେଞ୍ଜ

ଶାସକ ଦଳ ପାଇଁ ବି ଆହ୍ୱାନର ଲମ୍ବା ଚିଠା ରହିଛି। ବିରୋଧୀଙ୍କୁ ମୁକାବିଲା କରିବା ସହିତ ପ୍ରତିଶ୍ରୁତି ପୂରଣ କରିବା ଓ ଦଳୀୟ ଅସନ୍ତୋଷ ଦୂର କରିବା ଦଳ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ରହିବ।

  • ଦଳ ଭିତରେ ଭିତରେ କୁହୁଳୁଥିବା ଅସନ୍ତୋଷକୁ ପ୍ରଶମିତ କରିବା
  • ରାଜନେତାଙ୍କ ଗୁରୁତ୍ୱ ହ୍ରାସ ଓ ଅଫିସର ଶାସନ ଚାଲୁଥିବାର ବାର୍ତ୍ତାକୁ ଦୂର କରିବା
  • ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା
  • ତୃଣମୂଳ ସ୍ତରରେ ଥିବା ସାଙ୍ଗଠନିକ ଭିତ୍ତିକୁ ଦୁର୍ବଳ ହେବାକୁ ନଦେବା
  • ମହିଳା ଭୋଟ୍‌ବ୍ୟାଙ୍କକୁ ଅତୁଟ ରଖିବା

କଂଗ୍ରେସ ପାଇଁ ଚ୍ୟାଲେଞ୍ଜ

ନିର୍ବାଚନରେ ବାରମ୍ବାର ନୈରାଶ୍ୟ ପ୍ରଦର୍ଶନ ପରେ ଦଳ ସଂଗଠନ ସୁଧାରିବା ସହିତ ଭୋଟ୍‌ ବ୍ୟାଙ୍କ ସଜାଡ଼ିବାକୁ ଉଦ୍ୟମ କରିବ।  ତେବେ ବର୍ତ୍ତମାନ ଦଳ ପାଇଁ ଏବେ ନାହିଁ ତ କେବେ ନାହିଁର ସମୟ।

  • ନିଜ ଘର ସଜାଡ଼ି ତୃଣମୂଳସ୍ତରରେ ଦଳକୁ ପୁନଃର୍ଜୀବନ ଦେବା
  • ଭାଙ୍ଗୁଥିବା ଭୋଟ୍ ବ୍ୟାଙ୍କକୁ ପୁଣି ଏକାଠି କରିବା
  • ଉଭୟ ରାଜ୍ୟ ଓ କେନ୍ଦ୍ର ବିରୋଧରେ ଲଢେଇକୁ ଜୋରଦାର କରିବା

ବିଜେପିର ଆଗାମୀ ରଣ କୌଶଳ ସମ୍ପର୍କରେ ସୂଚନା ଦେଇ ବିରୋଧୀ ଧଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ ଲୋକମାନଙ୍କୁ ଜାଗ୍ରୁତ କରି ୨୦୨୪ରେ ବିଜେପି କ୍ଷମତାସୀନ କରିବା ଆମ ସମସ୍ତଙ୍କ ପାଇଁ କର୍ତ୍ତବ୍ୟ ଓ ଏହା ଆମ ପାଇଁ ଚ୍ୟାଲେଞ୍ଜ। ଏଥିପାଇଁ ଦଳ ତାର ନୀତିଗତ କାର୍ଯ୍ୟରେ ଆଗେଇବ।

ଅନ୍ୟପଟେ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଯେ ତାଙ୍କ ପାଇଁ କୌଣଶି ଆହ୍ୱାନ ନାହିଁ। ଆମ ଦଳ ସଂଗଠିତ ଦଳ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ଆହୁରି ସୁଦୃଢ଼ ହୋଇଛି ବୋଲି ସେ କହିଛନ୍ତି। ସେପଟେ ପିସିସି ସଭାପତି ନିରଞ୍ଜନ କହିଛନ୍ତି “ନାରୀମାନେ ସୁରକ୍ଷିତ ନୁହଁନ୍ତି ଅଥଚ ଆମ ଓଡ଼ିଶାରେ ନାରୀମାନଙ୍କୁ ହାତେଇବା ନେଇ ବିଜେପି-ବିଜେଡି ମଧ୍ୟରେ ପ୍ରତିଯୋଗିତା ଚାଲିଛି। ତାର ଯବାବ ଦେବାକୁ ପଡ଼ିବ, ସେ ବିଷୟରେ ଜନଜାଗରଣ ସୃଷ୍ଟି କରିବାକୁ ପଡ଼ିବ।”

ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ୨୦୨୪ ପାଇଁ ବର୍ଷ ୨୧ ତିନି ଦଳ ପାଇଁ ପ୍ରସ୍ତୁତି ଓ ସଂଗ୍ରାମର ବର୍ଷ ହେବ। ଏନେଇ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି ଯେ କଂଗ୍ରେସ ଗୋଷ୍ଠୀ କନ୍ଦଳରୁ ଦୂରେଇ ରହି ଲୋକଙ୍କ ବିଶ୍ୱାସ ଭାଜନ ହେଲାଭଳି ବାତାବରଣ ସୃଷ୍ଟି କରିବା ଦରକାର। ଅନ୍ୟପଟେ ବିଜେପିକୁ ତୃଣମୂଳସ୍ତରରେ ତାର ଉପସ୍ଥିତି ଜାହିର କରିବାକୁ ପଡ଼ିବ ଓ ଶାସକ ଦଳ ସହିତ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପଡ଼ିବ।

କୋଭିଡ ମହାମାରୀର ମୁକାବିଲାରେ ବର୍ଷ ୨୦୨୦ ସରିଯାଇଛି। ହେଲେ ଏହାରି ଭିତରେ ଏଇ ବର୍ଷ ହୋଇଥିବା ଦୁଇଟି ଯାକ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ଆଗକୁ ପିପିଲି ଉପନିର୍ବାଚନର ଅଗ୍ନି ପରୀକ୍ଷା ଥିବାରୁ ଏଠି ବି ଢେର ବଳ କଷାକଷି ହେବ ବୋଲି ଚର୍ଚ୍ଚା ହେଉଛି।

You might also like