ପୁଣି ଚେନ୍‌ ପୁଲିଂ, ଅଧାବାଟରୁ ପଳାଇଲେ ୨୦୦ ଶ୍ରମିକ

ଭୁବନେଶ୍ୱର: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ଷ୍ଟେସନ ନିକଟରେ ପୁଣି ଚେନ୍ ପୁଲିଂ । ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ  ଚେନ୍ ଟାଣି ଓହ୍ଲାଇ ପଡ଼ିଲେ ୨୦୦ପ୍ରବାସ ଫେରନ୍ତା ଓଡ଼ିଆ।  ଏନେଇ ବନ୍ଧମୁଣ୍ଡା ARM ସୂଚନା ଦେଇଛନ୍ତି।

ଟ୍ରେନଟି ମହାରାଷ୍ଟ୍ର କୋହ୍ଲାପୁରରୁ ଝାଡ଼ଖଣ୍ଡ ବୋକାରୋ ଯାଉଥିଲା । ସେଥିରେ ଥିଲେ ବୌଦ୍ଧଓ ସୋନପୁର ଜିଲ୍ଲାର ପ୍ରାୟ ୪୦୦ ଶ୍ରମିକ । ପ୍ରଥମେ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇବାକୁ ଚାହିଁଥିଲେ । ତେବେ ଆଗୁଆ ସୂଚନା ନ ଥିବାରୁ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବା ଦର୍ଶାଇ ଝାରସୁଗୁଡ଼ା ଷ୍ଟେସନ କର୍ତ୍ତୃପକ୍ଷ ଟ୍ରେନ୍ ଅଟକିବାକୁ ଅନୁମତି ଦେଇନଥିଲେ ।

ସେମାନଙ୍କୁ ରାଉରକେଲା ଷ୍ଟେସନରେ ଓହ୍ଲାଇବାକୁ କୁହାଯାଇଥିଲା । ସେପଟେ ଏହି ଖବର ପାଇ ରାଉରକେଲା ମହାନଗର ନିଗମ ଅଧିକାରୀ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପୋଲିସ ଓ ରେଳବାଇ ପୋଲିସ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ । ଟ୍ରେନ୍ ବି ଅଟକିଲା । ହେଲେ ପୂର୍ବ ସୂଚନା ନଥିବା ଦର୍ଶାଇ ଶ୍ରମିକଙ୍କୁ ଓହ୍ଲାଇବାକୁ ଅନୁମତି ମିଳିନଥିଲା। କେବଳ ଖାଦ୍ୟ ଓ ପାନୀୟ ଦେଇ ସମସ୍ତଙ୍କୁ ବୋକାରୋ ପଠାଇ ଦିଆଯାଇଥିଲା ।

ଏହାପରେ ରାଉରକେଲା ଅତିକ୍ରମ କରିବା ପରେ ନୂଆଗାଁ ଷ୍ଟେସନ ନିକଟରେ ଚେନ୍ ପୁଲିଂ କରି ପ୍ରାୟ ୨୦୦ ଶ୍ରମିକ ଓହ୍ଲାଇଯାଇଥିବା ସୂଚନା ମିଳିଛି।  ଶ୍ରମିକମାନେ ଓଡ଼ିଶା ଫେରିବା ପୂର୍ବରୁ ଓଡ଼ିଶା ସରକାରଙ୍କୁ ନିଶ୍ଚିତ ରୂପେ ଜଣାଇବାକୁ ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନର କହିଥିଲେ।

ସୂଚନାଥାଉ କି, ଆଜି ସକାଳେ ଗୁଜରାଟ ଗାନ୍ଧିନଗରରୁ ନିର୍ଗୁଣ୍ଡି ଅଭିମୁଖେ ଏକ ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ଯାତ୍ରା କରୁଥିବା ୩୨୦ ପ୍ରବାସୀ ଶ୍ରମିକ ଅଧାବାଟରେ ଟ୍ରେନ୍‌ ଚେନ୍‌ ଟାଣି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ୍‌ୱେ ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ।  ସମସ୍ତ ଶ୍ରମିକ ନୂଆପଡ଼ା ଓ ବରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ନୁମ୍ବୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭଦ୍ରକ ଆସୁଥିବା ୪ ଶହରୁ ଅଧିକ ପ୍ରବାସୀ ଚିଲିକା ଷ୍ଟେସନରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିବା ଘଟଣା ସାମ୍ନାକୁ ଆସିଥିଲା।

You might also like