‘ଫୋନି’ ପ୍ରଭାବିତଙ୍କୁ ମାଗଣା କିରୋସିନି ପାଇଁ ୩କୋଟିର ଆର୍ଥିକ ସହାୟତା ଦେବ କେନ୍ଦ୍ର
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତଙ୍କୁ କିରୋସିନି ମାଗଣାରେ ଯୋଗାଇ ଦେବା ଲାଗି ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ, ରାଜ୍ୟ ସରକାରଙ୍କୁ ୩କୋଟି ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ। ଏହି ଅର୍ଥରେ ରାଜ୍ୟ ସରକାର ଆବଶ୍ୟକ କରୁଥିବା ୧୦୦୦ କିଲୋଲିଟର କିରୋସିନି ସଂଗ୍ରହ କରିପାରିବେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଜଣାଇଛନ୍ତି।
ବାତ୍ୟା ପ୍ରଭାବିତଙ୍କ ଲାଗି ମାଗଣାରେ ଅତିରିକ୍ତ ହଜାରେ କିଲୋଲିଟର କିରୋସିନି ଯୋଗାଇ ଦେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୦ ତାରିଖରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ।
ଚିଠିର ଉତ୍ତର ଦେଇ ଧର୍ମେନ୍ଦ୍ର, ଏହି ପରିମାଣର କିରୋସିନିର ମୂଲ୍ୟ ବାବଦକୁ ମନ୍ତ୍ରଣାଳୟ ୩କୋଟି ୨ ଲକ୍ଷ ଟଙ୍କା ଦେବ ବୋଲି ଉଲ୍ଲେଖ କରିଛନ୍ତି। ମନ୍ତ୍ରାଳୟ ଅଧୀନରେ ଥିବା ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି କିମ୍ବା ରାଜ୍ୟ କୋଷାଗାରକୁ ଏହି ଅର୍ଥ ପ୍ରଦାନ କରିବ।
ସେହିଭଳି ରାଜ୍ୟ ସରକାର ସରକାରୀ ବ୍ୟବସ୍ଥାରେ ଅତିରିକ୍ତ ୧୦୦୦ କିଲୋଲିଟର କିରୋସିନି ଯେଭଳି ସଂଗ୍ରହ କରିପାରିବେ ସେଥିଲାଗି ବ୍ୟବସ୍ଥା କରାଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଦର୍ଶାଇଛନ୍ତି।
ଏଥିସହ ‘ଫୋନି’ ପ୍ରଭାବିତ ଅଞ୍ଚଳର ବାସିନ୍ଦା ଯେଭଳି ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ପାଇ ପାରିବେ ତାହା ନିଶ୍ଚିତ କରାଯାଇଛି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଏବଂ ଏହାର ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବାତ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ଦିଗରେ ରାଜ୍ୟ ସରକାରଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।