ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଓଡ଼ିଶା ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲା କେନ୍ଦ୍ର

ସମ୍ୱଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତି ଏବେ ରାଜ୍ୟ ସରକାରଙ୍କ ପାଖରେ ରହିଛି। ଏନେଇ ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, କେନ୍ଦ୍ରର ଅନୁରୋଧ ସତ୍ତ୍ୱେ ରାଜ୍ୟ ସରକାର ଏଥିପାଇଁ ଜରୁରୀ ସମନ୍ୱିତ ପ୍ରସ୍ତାବ ଦେଇନାହାନ୍ତି। ଏଣୁ ହାଇକୋର୍ଟ ବେଞ୍ଚ ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପାଖରେ ଅଟକି ରହିଛି ବୋଲି କୁହାଯାଇଛି।

ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ, ହାଇକୋର୍ଟର ମୂଳ ପୀଠ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବେଞ୍ଚ ସ୍ଫାନ ପାଇଁ ଯଶବନ୍ତ ସିଂ କମିଶନଙ୍କ ସୁପାରିଶ ଓ ସୁପ୍ରିମକୋର୍ଟଙ୍କ ୨୦୦୦ ମସିହାର ରାୟ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ। ଭିତ୍ତିଭୂମି ଯୋଗାଇଦେବା, ଖର୍ଚ୍ଚ ବହନ କରିବା, ସ୍ଥାନ ଚିହ୍ନଟ କରିବା ତଥା ସଂପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମତି ସମ୍ବଳିତ ରାଜ୍ୟ ସରକାରଙ୍କଠାରୁ ଏକ ସମନ୍ୱିତ ପ୍ରସ୍ତାବ ପାଇବା ପରେ କେନ୍ଦ୍ର ଏନେଇ ଆଗେଇଥାଏ।

ହେଲେ ଓଡ଼ିଶା ସରକାରଙ୍କ ପାଖରୁ ଏହି ସମନ୍ୱିତ ପ୍ରସ୍ତାବ ଏ ଯାଏ ମିଳିପାରିନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ଲାଗି ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି। ଏନେଇ ବାରମ୍ବାର ଓକିଲ ଆନ୍ଦୋଳନ ମଧ୍ୟ ହୋଇଛି।

You might also like