ନାଁ ପଞ୍ଜୀକରଣ କରିବା ମାତ୍ରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମିଳିବ କରୋନା ଟିକା

କରୋନାକୁ ମାତ୍ ଦେବାକୁ କେନ୍ଦ୍ରର ବଡ଼ ଅସ୍ତ୍ର

  • କରୋନାକୁ ମାତ୍ ଦେବାକୁ କେନ୍ଦ୍ରର ବଡ଼ ଅସ୍ତ୍ର
  • ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମିଳିବ କରୋନା ଟିକା
  • କୋଭିଡ୍ ଟିକା ପାଇଁ କେବଳ ପଞ୍ଜିକରଣ ଲୋଡ଼ା
  • ଆଜି ବି ଦେଶରେ ୪୦ ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା
  • ରାଜ୍ୟରେ ଶହେ ଉପରେ ରହିଛି କରୋନାର ଦୈନିକ ସଂକ୍ରମଣ ଗ୍ରାଫ୍

ନୂଆଦିଲ୍ଲୀ: ଦେଶରେ ପୁନର୍ବାର କାୟା ବଢ଼ାଉଥିବା କରୋନାକୁ କାବୁ କରିବାକୁ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ୪୫ ବର୍ଷରୁ ଅଧିକ ସବୁ ଲୋକଙ୍କୁ ମାଗଣାରେ ଟିକା ଦେବାକୁ କେନ୍ଦ୍ର ସରକାର ନେଇଛନ୍ତି। ନିଷ୍ପତ୍ତି ପୂର୍ବରୁ ଏହି ବୟସର ବହୁବିଧ ରୋଗରେ ଆକ୍ରାନ୍ତ ଲୋକଙ୍କୁ କେବଳ ଟିକା ମିଳୁଥିଲା। ସେପଟେ ଆଜି ବି ଦେଶରେ ୪୦ ହଜାର ଓ ରାଜ୍ୟରେ ଶହେ ଉପରେ ରହିଛି କରୋନାର ଦୈନିକ ସଂକ୍ରମଣ ଗ୍ରାଫ୍। ଆଉ ଏଭଳି ସ୍ଥିତିରେ ଆସନ୍ତା ସପ୍ତାହେ ଦୁଇ ସପ୍ତାହ ବେଶୀ ଚିନ୍ତାଜନକ। ଲୋକେ ସଚେତନ ନହେଲେ ଅନଲକ୍ ନହେଲେ ଲକଡାଉନ୍ ସ୍ଥିତିକୁ ଏଡ଼ାଇ ହେବନି ବୋଲି ଶଙ୍କା କଲେଣି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ଲେଉଟାଣି ମହାମାରୀର ଡେଣା କାଟିବାକୁ କେନ୍ଦ୍ର ସରକାରଙ୍କ ଆଉ ଏକ ଟାଣୁଆ ଅସ୍ତ୍ର। ଏଣିକି ୪୫ ବର୍ଷରୁ ଉର୍ଦ୍ଧ୍ୱ ସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା କରୋନା ଟିକା। ହୋଲି ପରେ ପରେ ଅର୍ଥାତ୍ ଏପ୍ରିଲ ପହିଲାରୁ ଏହି ବୟସର ସବୁ ଲୋକଙ୍କୁ ଭ୍ୟାକ୍ସିନେସନ୍ ପାଇଁ ମୋଦି କ୍ୟାବିନେଟରେ ହୋଇଛି ବଡ଼ ନିଷ୍ପତ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି-ପୂର୍ବରୁ ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର କରୋନା ଯୋଦ୍ଧା, ବରିଷ୍ଠ ନାଗରିକଙ୍କ ସହ ୪୫ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ମିଳୁଥିଲ। ହେଲେ ଏବେ ସେ ନିୟମ ବଦଳା ଯାଇଛି। କରୋନାର ସାନି କୋପର ମୁକାବିଲା ସହ ଟିକାକରଣ ଅଭିଯାନକୁ ଅଧିକ ଗତିଶୀଳ କରିବାକୁ ଆଜି ନିଷ୍ପତ୍ତି ନିଆଯାଇଛି। ଟିକା ପାଇବାକୁ ୪୫ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ କେବଳ ନାଁ ପଞ୍ଜିକରଣ ଯଥେଷ୍ଟ ବୋଲି କହିଛନ୍ତି ଜାଭଡେକର। ନାଁ ରେଜିଷ୍ଟ୍ରେସନ ମାତ୍ରେ ସବୁ ଟିକାକରଣ କେନ୍ଦ୍ରରେ ମିଳିଯିବ ଭ୍ୟାକସିନ୍। ଜାଭେଡକରଙ୍କ ସୂଚନା ଅନୁସାରେ ଦେଶରେ ଅଦ୍ୟାବଧି ୪କୋଟି ୮୫ ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ ଦିଆସରିଲାଣି। ଏମିତିକି ୮୦ ଲକ୍ଷ ଲୋକ ସେକେଣ୍ଡ ଡୋଜ୍ ବି ନେଇ ସାରିଲେଣି।

ତେବେ ଏଠି ପ୍ରଶ୍ନ କାହିଁକି ପୁନର୍ବାର କୋପ କରୁଛି କରୋନା ? ଲୋକେ ହୁଅନ୍ତୁ କି ପ୍ରଶାସନ କଣ କାଳ ସାଜିଲା କି ଏମାନଙ୍କ ବେପରୁଆ ପଣ ? ସାନିଟାଇଜର କି ସାମାଜିକ ଦୂରତ୍ୱ, ସତେ ଯେମିତି ସମସ୍ତଙ୍କ ମନରୁ ପାଶୋରି ଗଲାଣି। ଆଉ ଏବେକାର ସଂଗୀନ ସ୍ଥିତିରେ କେତେ ସଚେତନ ଆମ ଲୋକ? ଭାତ ହାଣ୍ଡିରୁ ଗୋଟେ ଚିପିଲା ଭଳି ରାଜଧାନୀରୁ ତାହାର ପ୍ରମାଣ ମିଳିଛି। ବ୍ୟସ୍ତବହୁଳ ମାର୍କେଟ୍ ବିଲ୍ଡିଂରେ ସବୁ ଖୋଲାମେଲା, ସମସ୍ତେ ଢିଲା ଦେହରେ ଦେହ ଘସି, ମୁହଁକୁ ମୁହଁ ଯୋଡ଼ି ଚାଲିଛି କିଣାକିଣି। ଗ୍ରାହକ ହୁଅନ୍ତ କି ଦୋକାନୀ, ଅଧିକାଂଶଙ୍କ ମୁହଁରେ ମାସ୍କ ନାହିଁ। କାହାର କାହାର ତ ମୁହଁ ଛାଡ଼ି ବେକରେ ଝୁଲୁଛି ମାସ୍କ। ଏଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତେଇ ଦେଲେଣି ଆଗାମୀ ସପ୍ତାହେ ଦୁଇ ସପ୍ତାହ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସାବଧାନ ନହେଲେ ପର୍ଯ୍ୟାୟକ୍ରମେ ଅନଲକ୍ ଓ ଲକ୍ଡାଉନ୍ ଭଳି ସ୍ଥିତି ବି ଫେରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

ସେପଟେ ଆଜି ବି ଦେଶରେ ଦୈନିକ ସଂକ୍ରମଣ ୪୦ ହଜାର ଉପରେ ଥିବାବେଳେ ରାଜ୍ୟରେ ବି ଶହେ ଉପରେ ରହିଛି। ଏଣେ DMET କହିଛନ୍ତି-ବାହାରୁ ଆସୁଥିବା ଲୋକଙ୍କ ବାବଦରେ ପ୍ରଶାସନକୁ ଜଣାଅ, ଯାହାଦ୍ୱାରା ସେମାନଙ୍କ ଟେଷ୍ଚିଂ ସହ ସଙ୍ଗରୋଧ ହୋଇପାରିବ। ସେହିପରି କରୋନା କଟକଣାକୁ ଆହୁରି କଡ଼ା କରିଛି ମାଲକାନଗିରି ପ୍ରଶାସନ। ବାହାର ରାଜ୍ୟରୁ ମାଲକାନଗିରିକୁ ଆସୁଥିଲେ ୭ଦିନ ହୋମ୍ ଆଇସୋଲେସନ ବାଧ୍ୟତାମୂଳକ କରାଯାଇଛି। ଜିଲ୍ଲା ବାହାରକୁ ଗଲେ ନୋଡ଼ାଲ ଅଫିସରଙ୍କ ଅନୁମତି ନେବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ତେବେ କରୋନାକୁ ନେଇ ଆଜି ବି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

You might also like