‘ଅଧିନିୟମ’ ପ୍ରତ୍ୟାହାର ନହେଲେ କ୍ଷତି ସହିବ କିଏ?

ପୁରୀ: ଜାତୀୟ ସ୍ମାରକ ପ୍ରାଧିକରଣ-NMAର ଅଧିନିୟମ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସଂସ୍କୃତି ବିଭାଗର NMAକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କର ସେବା କରୁଥିବା ସେବାୟତ ମାନେ କ୍ଷତି ସହିବେ। ତେଣୁ ସେବାୟତ, ଭକ୍ତ ଓ ଭଗବାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିବା ପାଇଁ ଚିଠି ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସକ ଅନୁରୋଧ କରିଛନ୍ତି।

ସେପଟେ ପୁରୀ ଜଗନ୍ନାଥ ଧାମ ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ(NMA)ର ପ୍ରସ୍ତାବିତ ଅଧିନିୟମ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସହ ଆଲୋଚନା କରିଛନ୍ତି। ପ୍ରସ୍ତାବିତ ଅଧିନିୟମରେ ଜଗନ୍ନାଥ ମନ୍ଦିରର ଶହେ ମିଟର ପରିଧି ଭିତରେ ନିର୍ମାଣ କାର୍ଯ୍ୟକୁ ବାରଣ କରାଯାଇଥିବାରୁ ଏ ନେଇ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଜାତୀୟ ସ୍ମାରକ ପ୍ରାଧିକରଣର ପ୍ରସ୍ତାବିତ ଅଧିନିୟମ ପାଇଁ ଶ୍ରୀମନ୍ଦିର ଅଞ୍ଚଳ ବିକାଶରେ ଯେପରି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ପ୍ରତିଶ୍ରୁତି ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କ ଭାବନାକୁ ବାଧା ଦେବାଭଳି କାର୍ଯ୍ୟ ହେବ ନାହିଁ ବୋଲି ସଂସ୍କୃତି ମନ୍ତ୍ରୀ ଆଶ୍ୱାସନା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି।

Dharmendra Pradhan

ଜାଣନ୍ତୁ, କ’ଣ ରହିଛି ଏହି ଚିଠା ଅଧିନିୟମରେ…

କେନ୍ଦ୍ର ସଂରକ୍ଷିତ ସ୍ମାରକ ଠାରୁ ୩୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ ସହ ଅର୍ଥନୈତିକ ଓ ସାମାଜିକ ହସ୍ତକ୍ଷେପ ଏହି ଅଧିନିୟମ ଆଧାରରେ ହିଁ ହେବ। ଏହି ୩୦୦ ମିଟର ପରିଧିକୁ ୨ ଭାଗରେ ବିଭକ୍ତ କରାଯାଇଛି। ସଂରକ୍ଷିତ ସ୍ମାରକ ଠାରୁ ୧୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଓ ସେଠାରୁ ଆଉ ୨୦୦ ମିଟର ଆଗକୁ ନିୟନ୍ତ୍ରିତ ଅଞ୍ଚଳ ରହିବ। କୌଣସି ବ୍ୟକ୍ତି ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ନୂଆ ନିର୍ମାଣ ବା ଖନନ କରିପାରିବେ ନାହିଁ। ସେହିପରି ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ(NMA)ର ଅନୁମତି ନେବାକୁ ପଡ଼ିବ। ଶ୍ରୀମନ୍ଦିରରେ ସଂରକ୍ଷିତ ଅଞ୍ଚଳ ୯.୭ ଏକରର ହୋଇଥିବା ବେଳେ, ମେଘନାଥ ପାଚେରୀ ଠାରୁ ନିଷିଦ୍ଧାଞ୍ଚଳ ୩୭.୦୬୧ ଏକର ଏବଂ ନିୟନ୍ତ୍ରିତ ଅଞ୍ଚଳ ୧୩୮.୩୮୫ ଏକରର ହେବ। କେବଳ ଏତିକି ନୁହେଁ, ନିୟନ୍ତ୍ରିତ ଅଞ୍ଚଳ ବାହାରେ ମଧ୍ୟ କୌଣସି ନୂଆ ନିର୍ମାଣ ଯେପରି ଦୂରରୁ ଶ୍ରୀମନ୍ଦିରକୁ ଦେଖିବାରେ ବାଧା ନଆସେ, ସେଥିପାଇଁ ଉଚ୍ଚତା ସୀମା ଧାର୍ଯ୍ୟ କରାଯାଇଛି। ଏଥିସହ ବଡ଼ଦାଣ୍ଡରେ ଏଲ୍ଇଡି ସାଇନେଜ୍ ନିଷେଧ କରାଯାଇଛି। ପୁରୀର ଶଙ୍କରାଚାର୍ଯ୍ୟ ମନ୍ଦିର, ମହାବୀର ମନ୍ଦିର, ତ୍ରିନାଥ ମନ୍ଦିର, କପାଳମୋଚନ ମନ୍ଦିର, ଶ୍ୱେତଗଙ୍ଗା ପୁଷ୍କରିଣୀ ଓ ମା’ ଚାମୁଣ୍ଡା ମନ୍ଦିରକୁ NMA ଚିହ୍ନଟ କରିଛି। ସେହିପରି ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଚିଠା ଅଧିନିୟମ ଜାରି କରାଯାଇଛି। ଏହାକୁ ଚୂଡ଼ାନ୍ତ କରିବା ପୂର୍ବରୁ, ଫେବୃଆରୀ ୧୮ ସୁଦ୍ଧା ଏହାର ନିୟମାବଳୀ ଉପରେ ଜନସାଧାରଣଙ୍କ ଆପତ୍ତି ଓ ମତାମତ ଲୋଡ଼ାଯାଇଛି। 

ପୁରୀ ଶ୍ରୀମନ୍ଦିର ପାଇଁ ପ୍ରଥମ ଥର ଲାଗି ପ୍ରସ୍ତୁତ ହୋଇଥିବା ଐତିହ୍ୟ ଅଧିନିୟମ ଅନୁଯାୟୀ ଶ୍ରୀମନ୍ଦିର ସହ ପ୍ରାଚୀନ ଐତିହ୍ୟସ୍ଥଳ ଓ ପ୍ରତ୍ନତତ୍ତ୍ୱ ଗୁରୁତ୍ୱ ବହନ କରୁଥିବା ଅନ୍ୟ ୮ଟି ସ୍ଥାପତ୍ୟସ୍ଥଳରୁ ୧୦୦ ମିଟର ପରିଧି ଅଞ୍ଚଳରେ ଯେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟକୁ ବାରଣ କରାଯାଇଛି।

NMA ଦ୍ୱାରା ପ୍ରସ୍ତାବିତ ଅଧିନିୟମକୁ ନେଇ ଶ୍ରୀମନ୍ଦିର ପ୍ରଶାସନରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ନିଜ ମତ ସମ୍ପର୍କରେ ଜାତୀୟ ସ୍ମାରକ ପ୍ରାଧିକରଣର ଦୃଷ୍ଟି ଆକର୍ଷଣ କରିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ, ଏହି ପ୍ରସ୍ତାବିତ ଅଧିନିୟମକୁ ଅଧିନିୟମକୁ ବିରୋଧ କରାଯିବ ବୋଲି ବରିଷ୍ଠ ସେବାୟତ ରଜତ ପ୍ରତିହାରୀ କହିଛନ୍ତି। ସେ କହିଛନ୍ତି, ଭାବିଚିନ୍ତି ପଦକ୍ଷେପ ନେଇଥିଲେ ଭଲ ହୋଇଥାନ୍ତା। ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ଏନେଇ NMAରେ ଅଭିଯୋଗ କରାଯିବ।

You might also like