ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ବିଜୁ ପକ୍କାଘର ଲୋଗୋ ରହିବନି

ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ପକ୍କା ଘରେ ଲାଗି ପାରିବନି ବିଜୁ ପକ୍କା ଘର ଯୋଜନାର ଲୋଗୋ। ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଲେଖି ଜଣାଇଛି କେନ୍ଦ୍ର। ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ ନଗେନ୍ଦ୍ର ନାଥ ସିହ୍ନା ଜଣାଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାକୁ ରାଜ୍ୟରେ ଅବିକଳ ଭାବେ ଏବଂ ସେହି ନାଁରେ ଲାଗୁ କରାଯାଉ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହକୁ କେବଳ ଏହି ନାଁର ଲୋଗୋ ଲଗାଇବାକୁ ରାଜ୍ୟ ସରକାରଙ୍କୁ ଚିଠିରେ କୁହାଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ମିଳିଥିବା ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାର ଦୁଇଟି ଯାକ ଲୋଗୋ ଥାଇ ଷ୍ଟିକର ଲଗାଯିବା ଘଟଣାକୁ ପୂର୍ବରୁ ବିରୋଧ କରି ଆସୁଥିଲା ବିଜେପି। ଏପରିକି ରାଜ୍ୟପାଳଙ୍କୁ ମଧ୍ୟ ଏନେଇ ବିଜେପି ଆପତ୍ତି କରିବା ସହ ବିଜୁ ପକ୍କା ଘର ଯୋଜନାର ଷ୍ଟିକର ହଟାଇବାକୁ ଦାବି କରି ସ୍ମାରକପତ୍ର ଦେଇଥିଲା।

ଗତ ଫେବୃଆରୀ ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦମାନଙ୍କ ଏକ ଟିମ୍ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ ଲାଗି ଅନୁରୋଧ କରିଥିଲେ। ଏହାପରେ ଗତକାଲି ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଲେଖି କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ଯୋଜନାର ଲୋଗୋ ଲାଗିବା ଅନୁମୋଦିତ ନୁହେଁ ବୋଲି ଜଣାଇଛି କେନ୍ଦ୍ର। ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଫିସିଆଲ୍ ଲୋଗୋ ଲଗାଇବାକୁ ରାଜ୍ୟକୁ କୁହାଯାଇଛି।

You might also like