ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ‍ବୁଲିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଫୋନି ବିଧ୍ୱଂସ୍ତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ ଟିମ୍ ୨ ଭାଗରେ ବିଭକ୍ତ ହୋଇ ଆଜି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିଛନ୍ତି । ଗୋଟିଏ ଦଳ ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକରେ ଅନୁଧ୍ୟାନ କରିଥିବା ବେଳେ ଆଉ ଗୋଟିଏ ଦଳ ଖୋର୍ଦ୍ଧା, ବାଲିପାଟଣା, ଜଟଣୀ ଓ ଭୁବନେଶ୍ୱର ବ୍ଲକରେ କ୍ଷୟକ୍ଷତିର ଆକଳନ କରିଛି। ସେଣ୍ଟ୍ରାଲ ଟିମ୍ ପ୍ରଭାବିତଙ୍କ ସହ ଆଲୋଚନା କରିବା ସହ ରିଲିଫ ଓ ଥଇଥାନ କାମ ସଂପର୍କରେ ମଧ୍ୟ ପଚାରି ବୁଝିଛନ୍ତି।

ସାମୁଦ୍ରିକ ବାତ୍ୟା ଫୋନି ମାଡ଼ରେ ସବୁଠୁ ଅଧିକ ଘାଇଲା ହୋଇଛି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକ। କେନ୍ଦ୍ରୀୟ ଟିମ୍ କୃଷ୍ଣପ୍ରସାଦ ବ୍ଲକର ଅରଖକୁଦ ଓ ବ୍ରହ୍ମଗିରିର ହସିନ୍‌ପୁରରେ କେନ୍ଦ୍ରୀୟ ଟିମ୍ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛି। ଘର, ବିଦ୍ୟୁତ୍, ଟେଲ ଯୋଗାଯୋଗ ବ୍ୟବସ୍ଥା ସହ ଏଠାକାର ଲୋକଙ୍କ ଜୀବୀକା କୁହାଯାଉଥିବା ନଡିଆ ଚାଷକୁ କେତେ କ୍ଷତି ହୋଇଛି କେନ୍ଦ୍ରୀୟ ଟିମ୍ ସେନେଇ ତଥ୍ୟ ସଂଗ୍ରହ କରିଛି ଟିମ୍‌।

ସଦସ୍ୟ ବାତ୍ୟା ବିପନ୍ନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ରିଲିଫ ଓ ଅନ୍ୟାନ୍ୟ ସହାୟତା ମିଳିଛି ନା ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ। ପୁରୀ ବଳିଆପଣ୍ଡା ବସ୍ତିରେ ମଧ୍ୟ ପହଞ୍ଚିଥିଲା କେନ୍ଦ୍ରୀୟ ଦଳ। ବାତ୍ୟାର ୧୧ ଦିନ ପରେ ମଧ୍ୟ ସେମାନଙ୍କୁ ଏଯାଏଁ ରିଲିଫ୍  ମିଳି ନ ଥିବା କିଛି କ୍ଷତିଗ୍ରସ୍ତ କାନ୍ଦି କାନ୍ଦି ଜଣାଇଥିଲେ। ପରେ ଟିମ୍ ସଦସ୍ୟ କଣାସ ଓ ଡେଲାଙ୍ଗ ବ୍ଲକକୁ ଯାଇ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

ସେଣ୍ଟ୍ରାଲ ଟିମ୍ର ଅନ୍ୟ ଏକ ଦଳ ଖୋର୍ଦ୍ଧା, ଜଟଣୀ, ବାଲିପାଟଣା ଓ ଭୁବନେଶ୍ୱରର ବ୍ଲକର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛି। ବାଲିପାଟଣା ବ୍ଲକର ବିଶ୍ୱନାଥପୁର, ଅଟାନ୍ତପର, ଆଇତରଙ୍ଗ, ତୁରିଙ୍ଗତିରା, କୁରୁଞ୍ଜିପୁର, ସୋଧୁଆ ଗାଁ ସମେତ ଖୋର୍ଦ୍ଧା ସଦର, ଜଟଣୀ ଓ ଭୁବନେଶ୍ୱର ବ୍ଲକରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଛି। ଭାଙ୍ଗି ଯାଇଥିବା ଘର, ସ୍କୁଲ, ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା, ପାନବରଜ, କୁକୁଡା ଓ ଅନ୍ୟ ଚାଷକୁ କେତେ କ୍ଷତି ହୋଇଛି ସେଣ୍ଟ୍ରାଲ ଟିମ୍ ସେ ତଥ୍ୟ ସଂଗ୍ରହ କରିଛି। ସେହିପରି ପ୍ରଭାବିତମାନେ ପଲିଥିନ, ଚାଉଳ ଓ ଆର୍ଥିକ ସହାୟତା ପାଇଛନ୍ତି ନା ନାହିଁ ସେ ସଂପର୍କରେ ମଧ୍ୟ ଟିମ୍ ସଦସ୍ୟ ପଚାରି ବୁଝିଛନ୍ତି।

 

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବା ପୂର୍ବରୁ SRC ଓ ରାଜ୍ୟ ସରକାରଙ୍କ ଅଧିକାରୀ, କେନ୍ଦ୍ରୀୟ ଟିମ୍‌କୁ ବାତ୍ୟା ଓ ଏହାର ମୁକାବିଲା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ। ସେହିପରି କେଉଁ ଅଞ୍ଚଳ କେତେ କ୍ଷତିଗ୍ରସ୍ତ ହୋଇଛି ସେ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କ୍ଷୟକ୍ଷତି ଆକଳନ ପରେ ସେଣ୍ଟ୍ରାଲ ଟିମ୍ ଆସନ୍ତା ୧୫ ତାରିଖରେ ମୁଖ୍ୟ ଶାସନ ସଚିବ ଓ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ପରେ ଦିଲ୍ଲୀ ଯାଇ କେନ୍ଦ୍ର ସରକାରକୁ ରିପୋର୍ଟ ଦେବେ।

You might also like