ଦ୍ୱିତୀୟ ଦିନରେ ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ‘ଫୋନି’ର କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ।  ଆଜି ଗୋଟିଏ ଟିମ୍ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ।  ସେହିପରି ଅନ୍ୟ ଏକ ଟିମ୍ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରିବେ।

ଗତକାଲି କେନ୍ଦ୍ର ଗୃହ ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିଥିଲେ। ଗୋଟିଏ ଟିମ୍‌ ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକରେ ଅନୁଧ୍ୟାନ କରିଥିବା ବେଳେ ଆଉ ଗୋଟିଏ ଟିମ୍‌ ଖୋର୍ଦ୍ଧା, ବାଲିପାଟଣା, ଜଟଣୀ ଓ ଭୁବନେଶ୍ୱର ବ୍ଲକ୍‌ରେ କ୍ଷୟକ୍ଷତିର ଆକଳନ କରିଥିଲେ।

କୃଷ୍ଣପ୍ରସାଦ ବ୍ଲକ୍‌ର ଅରଖକୁଦ ଓ ବ୍ରହ୍ମଗିରିର ହସିନ୍‌ପୁରରେ କେନ୍ଦ୍ରୀୟ ଟିମ୍ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ଘର, ବିଦ୍ୟୁତ୍‌, ଟେଲି ଯୋଗାଯୋଗ ବ୍ୟବସ୍ଥା ସହ ଏଠାକାର ଲୋକଙ୍କ ଜୀବିକା କୁହାଯାଉଥିବା ନଡ଼ିଆା ଚାଷରେ କେତେ ପରିମାଣର କ୍ଷତି ହୋଇଛି କେନ୍ଦ୍ରୀୟ ଟିମ୍ ସେନେଇ ତଥ୍ୟ ସଂଗ୍ରହ କରିଥିଲେ।

ଏହି ଟିମ୍‌ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ ପରେ ଆସନ୍ତାକାଲି ମୁଖ୍ୟ ଶାସନ ସଚିବ ଓ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ଏହାପରେ ଦିଲ୍ଲୀ ଫେରି କେନ୍ଦ୍ରୀୟ ଟିମ୍ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।

You might also like