ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ଫୋନି’ ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍ ଆଜି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ଏହା ପରେ ମୁଖ୍ୟ ଶାସନ ସଚିବଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି ଦିଲ୍ଲୀ ଫେରିଯିବେ।
ଓଡ଼ିଶା ଗସ୍ତରେ ଆସିଥିବା ଏହି ଟିମ୍ ଗତକାଲି ପୁରୀ ଏବଂ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ।
ଗୋଟିଏ ଟିମ୍ ପୁରୀ ଜିଲ୍ଲାର ନିମାପଡ଼ା, ସତ୍ୟବାଦୀ, ବଳପୁର ଏବଂ ସାରଙ୍ଗଯୋଡି ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିଲେ। ଏହାପରେ ଟିମ୍ ସଦସ୍ୟ ପୁରୀ ପୌରାଞ୍ଚଳର ପେଣ୍ଠକଟାରେ ମତ୍ସ୍ୟଜୀବୀଙ୍କ କ୍ଷୟକ୍ଷତିର ଅନୁଧ୍ୟାନ କରିବା ସହ ଗୋପ ବ୍ଲକ୍ର ଇତିଭୁଆଁ ଗାଁକୁ ଯାଇ ମଧ୍ୟ ଅନୁଧ୍ୟାନ କରିଥିଲେ। ସେହିପରି ନିମାପଡ଼ାର ବାମନାଳ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ କେନ୍ଦ୍ରୀୟ ଟିମ୍ ରିଲିଫ୍ କାର୍ଯ୍ୟର ତଦାରଖ କରିଥିଲେ।
ଅନ୍ୟ ଏକ ଟିମ୍ ସଦସ୍ୟ କଟକ ଜିଲ୍ଲା କଣ୍ଟାପଡ଼ା ଏବଂ ନିଆଳି ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଥିଲେ।
ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ତଥା କେନ୍ଦ୍ରୀୟ ଟିମ୍ର ମୁଖ୍ୟ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏହି ଟିମ୍ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ କ୍ଷୟକ୍ଷତିର ଆକଳନ କରୁଛନ୍ତି।