ଜଙ୍ଗଲରେ ନିଆଁ କେମିତି ଲାଗୁଛି? ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ

ବାରିପଦା:  ଶିମିଳିପାଳ ଅଭୟାରଣ୍ୟରେ ଜଙ୍ଗଲ ନିଆଁ ଘଟଣାର ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ସମୀକ୍ଷା ଆରମ୍ଭ କରିଛନ୍ତି। ଆପାରବାରାହାକାମୁଡ଼ାରେ ଥିବା ଗେଷ୍ଟ ହାଉସରେ ସମୀକ୍ଷା କରୁଛନ୍ତି କେନ୍ଦ୍ରୀୟ ଟିମ୍‌। ଏଥିରେ ଶିମିଳିପାଳ କ୍ଷେତ୍ରୀୟ ନିର୍ଦ୍ଦେଶକ ଆରସିସିଏଫ୍, ଶିମିଳିପାଳ ଉତ୍ତର ଓ ଦକ୍ଷିଣ ଉପନିର୍ଦ୍ଦେଶକ, ରେଞ୍ଜ ଅଫିସର ଓ କର୍ମଚାରୀଙ୍କ ସହ ଜଙ୍ଗଲ ନିଆଁ ସଂପର୍କରେ ସମୀକ୍ଷା କରୁଛନ୍ତି।

ଏହାପରେ ଆଖାପାଖରେ ବାସ କରୁଥିବା ଗାଁ ଲୋକଙ୍କ ସହ ମଧ୍ୟ ଆଳୋଚନା କରିବେ ବୋଲି ସୂଚନା ମିଳିଛି। ନିଆଁ କେମିତି ଲାଗୁଛି, କାହିଁକି ଜଙ୍ଗଲ ନିଆଁ ଘଟଣା ଘଟୁଛି, ଏହା ଯୋଗୁଁ କଣ ସବୁ କ୍ଷୟକ୍ଷତି ଘଟିଛି, ସେନେଇ ଆଲୋଚନା କରିବେ। ଏହାସହ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରେ ବାଘ ସୁରକ୍ଷିତ ଅଛନ୍ତି କି ନାହିଁ, ସେମାନଙ୍କୁ ଖାଦ୍ୟ ମିଳୁଛି କି ନାହିଁ। ସେନେଇ ମଧ୍ୟ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ବାରିପଦା ବନଖଣ୍ଡରେ ନିଆଁ ନଥିବା ଜଣାଇଛନ୍ତି ଡିଏଫ୍ଓ ସନ୍ତୋଷ କୁମାର ଯୋଶୀ। ସେପଟେ ଗତକାଲି ଶିମିଳିପାଳ କର୍ମକର୍ତ୍ତା ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଫେରିଛନ୍ତି ଜଙ୍ଗଲ ବିଭାଗ ସଚିବ ମୋନା ଶର୍ମା।

ସେପଟେ, ଜଙ୍ଗଲ ନିଆଁ କମୁନି ବରଂ ବଢୁଛି। ତେବେ ଗତକାଲି ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛି ଜଙ୍ଗଲ ନିଆଁ ଟାସ୍କଫୋର୍ସ। ଟାସ୍କଫୋର୍ସ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ୍ ଅନୁସାରେ ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ିଥିବା ସୂଚନା ଦେଇଛନ୍ତି। ଭାରତୀୟ ବନ ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ଅନୁସାରେ ନିଆଁ ବଢ଼ିଛି, ବୁଧବାର ୪୯୭ ପଏଣ୍ଟରେ ନିଆଁ ଥିଲା, ଆଉ ଗତକାଲି ୧୦୪୮ରେ ପହଞ୍ଚିଛି। ତେବେ ଶିମିଳିପାଳ ଅଞ୍ଚଳରେ ନିଆଁ କମିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ୨୬ଟି ପଏଣ୍ଟରେ ନିଆଁ ଥିବା ବେଳେ ଏବେ ୫ଟିରେ ନିଆଁ ରହିଛି।

ଶିମିଳିପାଳରେ ବନାଗ୍ନି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ସଦସ୍ୟ ଓଡ଼ିଶାରେ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍ ସଦସ୍ୟ ତଥା NTCA ଆଇଜି ଅମିତ ମଲ୍ଲିକ, ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଶିମିଳିପାଳ ଗସ୍ତ କରିବାର ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା।

ଏହାସହ ଗତକାଲି ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରୁ ୩ ଜଣଙ୍କୁ ଗିରଫ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ପୋଡାଡିହା ରେଞ୍ଜର ଏକ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ବନ ବିଭାଗ ଜଣଙ୍କୁ ଗିରଫ କରିଛି। ଶିକାର ପାଇଁ ନିଆଁ ଲଗାଉଥିବାବେଳେ ସେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଟାଙ୍ଗିଆ ଓ ୭ କିଲୋଗ୍ରାମ ଓଜନର ଝିଙ୍କ ମାଂସ ଜବତ ହୋଇଛି।

You might also like