ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଆଜି ଆସୁଛି କେନ୍ଦ୍ରୀୟ ଟିମ୍‌

ଆସୁଛି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବେ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜଣେ ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଆସିବ ଏହି ୭ ଜଣିଆ ଟିମ। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଏହି ଟିମ ୪ ପ୍ରଭାବିତ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି। ଗତ ୨୬ ତାରିଖରେ ବାତ୍ୟା ୟାସ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ଏହି ୪ ଜିଲ୍ଲାକୁ ଗସ୍ତ କରି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍।

ପୂର୍ବରୁ ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାତ୍ୟା ସ୍ଥିତି ସମୀକ୍ଷା କରିଥିଲେ। ୟାସ ବାତ୍ୟା କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ୫ଶହ କୋଟିର କେନ୍ଦ୍ରୀୟ ସହାୟତା ଘୋଷଣା କରିଥିଲେ। ଏପଟେ ବାତ୍ୟା ମୁକାବିଲା ନେଇ ଦୀର୍ଘ ମିଆଦି ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ସହ୍ୟ କରିପାରୁଥିବା ବିଦ୍ୟୁତ ବ୍ୟବସ୍ଥା ଓ ସାମୁଦ୍ରିକ ଜୁଆରକୁ ରୋକିବା ଲାଗି ବନ୍ଧ ର୍ନିମାଣ ପାଇଁ ଦାବି ରଖିଛନ୍ତି ରାଜ୍ୟ ସରକାର।

ସାମୁଦ୍ରିକ ଝଡ଼ ୟାସ୍ ଯିବାର ଦିନକ ପରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି ଆକାଶ ମାର୍ଗରୁ ବେଶୀ ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସ୍ଥିତି ଅନୁଧ୍ୟାନ ସହ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ କରି ରାଜ୍ୟ ପାଇଁ ୫ ଶହ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ମୋଦି।

ଘର ଭାଙ୍ଗିବାଠୁ ଆରମ୍ଭ କରି ଚାଷ, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଓ ରାସ୍ତାଘାଟକୁ ହୋଇଥିବା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ମୁଷଳଧାରାରେ ବର୍ଷା, ଏହାକୁ ନେଇ କିଛି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ସମୁଦ୍ର ଜୁଆର ମାଡି ଯାଇ ଅନେକ ଗାଁ ଜଳମଗ୍ନ ହେବା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା। ଏ ସଂପର୍କିତ ୮ ମିନଟର ଭିଡ଼ିଓ ପ୍ରଧାନମନ୍ତ୍ରୀଙ୍କୁ ଦେଖା ଯାାଇଥିଲା। ତେବେ ବାତ୍ୟା କ୍ଷୟୟତି ବାବଦକୁ କେନ୍ଦ୍ରକୁ କୌଣସି ଅର୍ଥ ମଗାଯାଇନଥିବା ରାଜ୍ୟ ସରକାରଙ୍କ ପକ୍ଷର କୁହାଯାଇଥିଲା।

ସେପଟେ, ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ପାଇଁ ତତ୍କାଳ ସହାୟତା ମାଗିନଥିଲା ଓଡ଼ିଶା। ଦେଶ କରୋନା ମହାମାରୀରେ ଯୁଝି ହେଉଥିବାରୁ ବର୍ତ୍ତମାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତା ମଗା ଯାଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଜଣାଇଥିଲେ। କେନ୍ଦ୍ର ଉପରେ ବୋଝ ନଲଦି ନିଜ ସମ୍ବଳରୁ ବର୍ତ୍ତମାନ ପାଇଁ ବାତ୍ୟା ମୁକାବିଲା କରାଯିବ ବୋଲି ସେ କହିଥିଲେ। ତେବେ ବାତ୍ୟା ଭଳି ବଡ଼ ବିପର୍ଯ୍ୟୟର ମୁକାବିଲା ପାଇଁ ୨ ପ୍ରକାର ଦୀର୍ଘମିଆଦି ସହାୟତା ଆଶା କରିଛନ୍ତି। ରାଜ୍ୟ ସରକାର ବିଶେଷ କରି ବିପର୍ଯ୍ୟୟ ସମ୍ଭାଳି ପାରୁଥିବା ବିଦ୍ୟୁତ୍‌ ବ୍ୟବସ୍ଥା ଓ ବଡ଼ ଜୁଆରରୁ ରକ୍ଷା ପାଇବା ଭଳି ସାମୁଦ୍ରିକ ବନ୍ଧ ନିର୍ମାଣ ନେଇ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଦାବି କରିଥିବା ନବୀନ ତାଙ୍କ ଟ୍ୱିଟ୍‌ରରେ ଉଲ୍ଲେଖ କରିଥିଲେ।

You might also like