• କାହିଁକି ନିଆଁର ଆଁ ଭିତରେ ଶିମିଳିପାଳ ଅଭୟାରଣ୍ୟ?
  • ୧୫ ଦିନ ପରେ ବି ଉତ୍ତର ପାଉନି ବନ ବିଭାଗ
  • ଅଭୟାରଣ୍ୟ ଭିତରେ ପଶି କାରଣ ଖୋଜୁଛି କେନ୍ଦ୍ରୀୟ ଟିମ୍
  • ନିଆଁ ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଙ୍କ ଉଦବେଗ
  • ପ୍ରତାପ ଷଡ଼ଙ୍ଗୀ କହିଲେ, ଜଙ୍ଗଲ ନିଆଁରେ ରୁଟି ସେକିବା ବନ୍ଦ କରୁ ବିଜେଡି

ବାରିପଦା: ୧୫ ଦିନ ବିତିଗଲାଣି, ସୁନ୍ଦରୀ ଶିମିଳିପାଳରେ କାହିଁକି ଲାଗିଲା ନିଆଁ ? କେମିତି ଉଜାଡ଼ିଲା ଏସିଆର ଏହି ଦ୍ୱିତୀୟ ବୃହତ୍ତ ଜୈବମଣ୍ଡଳ? ନା ସ୍ପଷ୍ଟ କରୁଛି ବନ ବିଭାଗ ନା ମୁହଁ ଖୋଲୁଛନ୍ତି ରାଜ୍ୟ ସରକାର। ଗତ କିଛି ଦିନ ହେଲା, ଶିମିଳିପାଳର ଘଞ୍ଚ ଅରଣ୍ୟ ଭିତରେ କେବଳ ଚାଲିଛି କାରଣ ଖୋଜା। ଏସବୁ ଭିତରେ ରାଜ୍ୟର ଅନ୍ୟାନ୍ୟ ବନାଞ୍ଚଳ ଗୁଡ଼ିକ ଜଳିପୋଡ଼ି ଛାରଖାର ହେବାରେ ଲାଗିଛି। ଆଜି ବି ଜଙ୍ଗଲ ଜଳୁଥିବାବେଳେ ବନାଗ୍ନିକୁ ନେଇ ଗୃହ ଭିତରେ ଏବଂ ବାହାରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ।

ଜଙ୍ଗଲୀ ନିଆଁ ପ୍ରାକୃତିକ ନା ମନୁଷ୍ୟକୃତ ? ଶିମିଳିପାଳ ଅଗ୍ନିକାଣ୍ଡର ଅସଲ କାରଣ କଣ ? ଏସିଆର ଦ୍ୱିତୀୟ ବୃହତ୍ତ ଜୈବମଣ୍ଡଳକୁ ଜାଳିଦେଲା କିଏ ? ଇତି ମଧ୍ୟରେ ୧୫ ଦିନ ବିତିଯାଇଥିଲେ ବି ସ୍ପଷ୍ଟ ହୋଇପାରୁନାହିଁ ପ୍ରକୃତ କାରଣ। ଆଜିକୁ ଦୁଇ ଦିନ ହେଲା ଶିମିଳିପାଳ କୋର୍ ଏରିଆ ଭିତରେ ପଶି କାରଣ ଖୋଜୁଛି ବନବିଭାଗର ଟିମ୍। ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ, ଉତ୍ତର ଓ ଦକ୍ଷିଣ ଡିଭିଜନର ୨ ଉପ ନିର୍ଦ୍ଦେଶକଙ୍କ ସମେତ ଶିମିଳିପାଳର ବିଭିନ୍ନ ରେଞ୍ଜ ଅଧିକାରୀଙ୍କ ସହ ଆଲୋଚନା କରିଛି କେନ୍ଦ୍ରୀୟ ଟିମ୍।

NTCA ଆଇଜି ଅମିତ୍ ମଲ୍ଲିକ ବି ଏହି ଟିମ୍ ସହ ଆଜି ଆଲୋଚନା କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏମାନେ ବିଶେଷ କରି ଗୁଡୁଗୁଡ଼ଇା, ବରେହିପାଣି, ନଅଣା ଆଦି ସ୍ଥାନକୁ ନେଇ ଲୋକଙ୍କ ସହ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ପଚାରି ବୁଝିଛନ୍ତି। ଶିମିଳିପାଳ ଭିତରେ ବାଘଙ୍କ ଅବସ୍ଥା ବର୍ତ୍ତମାନ ସମୟରେ କେମିତି ଅଛି ? ଅଗ୍ନିକାଣ୍ଡରେ ବିଗିଡ଼ିଯାଇଛି ସେମାନଙ୍କ ଖାଦ୍ୟ ଶୃଙ୍ଖଳ ? ଏସବୁର ଅନୁଧ୍ୟାନ କରିଛନ୍ତି NTCA ଆଇଜି। ତେବେ ବର୍ଷା ପ୍ରଭାବରେ ଶିମିଳିପାଳ ସମେତ ସଂଲଗ୍ନ ବନାଞ୍ଚଳରେ ନିଆଁ ଆୟତ୍ତକୁ ଆସିଥିବା କହିଛି ବନବିଭାଗ।

ଶିମିଳିପାଳ ନିଆଁ ନିୟନ୍ତ୍ରଣକୁ ଆସିଥିଲେ ବି ରାଜ୍ୟର ଅନ୍ୟାନ୍ୟ ବନାଞ୍ଚଳରେ କିନ୍ତୁ ଦାଉ ଦାଉ ଜଳୁଛି ଜଙ୍ଗଲ। ବୌଦ୍ଧ ବନଖଣ୍ଡର ୫ଟି ରେଞ୍ଜରେ ଅଣାୟତ୍ତ ନିଆଁ। ଆଉ ନିଆଁରେ ଜଳିପୋଡ଼ି ଛାରଖାର୍ ହୋଇଯାଉଛି ବନାଞ୍ଚଳ। ଆଜିକୁ ସପ୍ତାହେ ହେଲା ବହୁ ଔଷଧୀୟ ଗଛଲତା ସହ ବନ୍ୟପ୍ରାଣୀ ସାଂଘାତିକ କ୍ଷତିଗ୍ରସ୍ତ ହୋଇସାରିଲେଣି। ଅବଶ୍ୟ ନିଆଁ ନିୟନ୍ତ୍ରଣ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ବନ କର୍ମଚାରୀ। ତଥାପି ଆୟତ୍ତକୁ ଆସିପାରୁନି ସର୍ବଗିଳା ନିଆଁ। ବୌଦ୍ଧ ବନଖଣ୍ଡର ପ୍ରାୟ ୪୦ଟି ସ୍ଥାନରେ ନିଆଁ ଜଳୁଛି। ତେବେ ନିଆଁ ଲିଭାଇବାକୁ ଭିତ୍ତିଭୂମି ସହ ଲିଫ୍ ବ୍ଲୋଅର୍ ସଂଖ୍ୟା ଦୁଇଗୁଣା କରିବାକୁ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ଅଧିବାସୀଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବାକୁ DFO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଫରେଷ୍ଟ ଫାୟାର ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି।

ତେଣେ ଜଙ୍ଗଲ ନିଆଁକୁ ନେଇ ଆଜି ଗୃହରେ ବିଜେପି ଦେଇଥିଲା ମୁଲତବୀ ନୋଟିସ। କିନ୍ତୁ କୌଣସି ଆଲୋଚନା ହୋଇପାରିନି।ଅପରପକ୍ଷେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଙ୍ଗଲ ନିଆଁ ନିର୍ବାପନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ତାସହ ଦାବି କରିଛନ୍ତି ଲୋକ ପ୍ରତିନିଧିଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ।ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରାଜନୀତି ଛାଡ଼ି ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।

 

 

Other Stories