OBC ଓ SEBCଙ୍କ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ OBC ଓ SEBCଙ୍କ ଲାଗି ସଂରକ୍ଷଣ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ  ଚିଠି ଲେଖିଥିଲେ ହେଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଗତକାଲି ଧର୍ମେନ୍ଦ୍ର ନବୀନଙ୍କୁ ପୁଣି ଥରେ ଚିଠି ଲେଖି ଏ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

ଚିଠିରେ ଧର୍ମେନ୍ଦ୍ର ଦର୍ଶାଇଛନ୍ତି, ୨୦୨୧ ଜନଗଣନା ସହିତ ରାଜ୍ୟରେ SEBC ଏବଂ ଜାତି ଭିତ୍ତିକ ଗଣନା ନେଇ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଗୃହିତ ହୋଇଛି। ରାଜ୍ୟ ପଛୁଆ ଶ୍ରେଣୀ କମିଶନଙ୍କ ନିଯୁକ୍ତି ନ କରି ଜନଗଣନାରେ ପଛୁଆ ଜାତି ଗଣନା କଥା କହିବା ରାଜ୍ୟ ସରକାରଙ୍କ OBC ଓ SEBC ବର୍ଗଙ୍କ ପାଇଁ ପ୍ରତିବଦ୍ଧତା ନ ଥିବାର ବଳିଷ୍ଠ ପ୍ରମାଣ ବୋଲି ଧର୍ମେନ୍ଦ୍ର ଦର୍ଶାଇଛନ୍ତି।

ସେ ଆହୁରି କହିଛନ୍ତି, ସମ୍ବିଧାନର ଧାରା ୧୫(୪) ଓ ୧୬(୪ ) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି । ମାତ୍ର ଦୀର୍ଘ ୩୦ ବର୍ଷ ଧରି ଏହା ଲାଗୁ ହେଲା ପରେ ରାଜ୍ୟ ସରକାର ଓବିସିଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ କ’ଣ ପାଇଁ ସରକ୍ଷଣ ଦେଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

ସେପଟେ ଆଗାମୀ ଜନଗଣନାରେ SEBC ଓ OBCଙ୍କ ଗଣତି ନେଇ କ୍ୟାବିନେଟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ଗତ ୧୩ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କୁ ଲେଖିଥିବା ଚିଠିରେ ସାମାଜିକ ଅର୍ଥନୈତିକ ଭିତ୍ତିରେ ଜନଗଣନା ପାଇଁ  ଉଲ୍ଲେଖ କରିଛନ୍ତି। ଜନଗଣନା ଫର୍ମରେ ଏଥିପାଇଁ ସ୍ୱତନ୍ତ୍ର ଅନୁଚ୍ଛେଦ କିମ୍ବା ଆଉ ଏକ ପୃଷ୍ଠା ରଖିବାକୁ ମୁଖ୍ୟ ଶାସନ ସଚିବ ନିବେଦନ କରିଛନ୍ତି। SEBC ଓ OBC ଜନଗଣନା ନେଇ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ସେ ଜଣାଇଛନ୍ତି॥

 

You might also like