କେନ୍ଦ୍ର-ରାଜ୍ୟ ଏକାଠି କରୋନା ସହ ଲଢ଼ୁଛନ୍ତି, ଯୁବ ବର୍ଗଙ୍କୁ ଖୁବଶୀଘ୍ର ଟିକା ମିଳିବ: ସାଂସଦ ଅପରାଜିତା

ଭୁବନେଶ୍ୱର: ଟିକାକରଣ କେନ୍ଦ୍ର ବୁଲିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟିକାକରଣ ସଠିକ୍ ଭାବେ ଚାଲିଛି କି ନାହିଁ ସେନେଇ ତଦାରଖ କରିବା ସହ ସ୍ଥିତି ମଧ୍ୟ ପରଖିଲେ । କହିଲେ ଖୁବ ଶୀଘ୍ର ଟିକା ଅଭାବ ସମସ୍ୟାର ସମାଧାନ ହେବ । ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଉଦ୍ୟମ ଜାରି ରଖିଛନ୍ତି । ଖୋର୍ଦ୍ଧା ପିଏନ୍ ଅଟୋନମସ୍ କଲେଜର ଟିକା କେନ୍ଦ୍ର ପରିଦର୍ଶନ କରିବା ଅବସରରେ ଏଭଳି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । କେନ୍ଦ୍ର ଓ ରାଜ୍ୟ ସରକାର ସଫଳତାର ସହିତ କୋଭିଡ ମୁକାବିଲା କରୁଛନ୍ତି । ସଂକ୍ରମଣ ଗ୍ରାଫ୍ ବି ତଳମୁହାଁ ହେଉଛି । ଏବେ ଲୋକେ ସଚେତନ ହେବା ଉଚିତ୍ । ବିଭିନ୍ନ କମ୍ପାନୀ ଟିକା ପ୍ରସ୍ତୁତ କରୁଛନ୍ତି । ଆଗାମୀ ଦିନରେ ପର୍ଯ୍ୟାପ୍ତ ଟିକା ମିଳିବ । ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଏହା ବି ଶୀଘ୍ର ମିଳିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଅନ୍ୟପଟେ ଆସନ୍ତା ଜୁନ୍ ୧୫ ସୁଦ୍ଧା ରାଜ୍ୟଗୁଡିକୁ ମିଳିବ ୫ କୋଟି ୮୬ ଲକ୍ଷ ୨୯ ହଜାର ଡୋଜ୍ କରୋନା ଟିକା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସବୁ ଟିକା ମାଗଣାରେ ଯୋଗାଇ ଦିଆଯିବ । ଏନେଇ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି । ସେହଭଳି ଟିକା ଉତ୍ପାଦନକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟମାନଙ୍କ ସିଧାସଳଖ କ୍ରୟ ପାଇଁ ଜୁନ ଶେଷ ସୁଦ୍ଧା ୪ କୋଟି ୮୭ ଲକ୍ଷ ୫୫ ହଜାର ଡୋଜ୍ ଟିକା ଉପଲବ୍ଧ ହେବ ।

ଏହାସହ ଦେଶରେ ସୁରୁଖୁରୁରେ ଟିକାକରଣକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡିକୁ ବିଭିନ୍ନ ପରାମର୍ଶ ଦିଆଯାଇଛି । କୋଭିଡ୍ ଟିକା ଦେବା ପାଇଁ ଜିଲ୍ଲା ସ୍ତରୀୟ କୋଭିଡ୍ ଟିକାକରଣ କେନ୍ଦ୍ରର ଯୋଜନା ପ୍ରସ୍ତୁତ କରାଯିବ । ଲୋକଙ୍କ ମଧ୍ୟରେ ସଚେଚତନା ସୃଷ୍ଟି କରିବା ପାଇଁ ଏଭଳି ଯୋଜନା ବିଷୟରେ ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରଚାର କରିବା ଆବଶ୍ୟକ । ଉଭୟ ସରକାରୀ ଏବଂ ଘରୋଇ ଟିକାକରଣ କେନ୍ଦ୍ର, କୋଓ୍ୱିନ୍ ଡିଜିଟାଲ୍ ପ୍ଲାଟଫର୍ମରେ ଆଗୁଆ ନିଜର ଟିକାକରଣ ସୂଚୀ ପ୍ରକାଶ କରିବେ । ଟିକାକରଣ କେନ୍ଦ୍ରରେ ଯେଭଳି ଅଧିକ ଭିଡ ନ ହେବେ ଏବଂ କୋଓ୍ୱିନରେ ବୁକିଂ ପ୍ରକ୍ରିୟାରେ ଯେଭଳି କୌଣସି ଅସୁବିଧା ନ ହେବ ତାହା ନିଶ୍ଚିତ କରିବେ ।

ଅନ୍ୟପଟେ ଓଡ଼ିଶାରେ କରୋନା ଟେଷ୍ଟିଂ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର । ସେ କହିଛନ୍ତି, ଓଡ଼ିଶାରେ ଦିନକୁ ହାରାହାରି ୫୨ ହଜାର ଟେଷ୍ଟିଂ କରାଯାଉଛି । ଏହାକୁ ବଢ଼ାଇବା ଉଚିତ୍ । ଅନ୍ୟ ରାଜ୍ୟରେ ଅଧିକ ଟେଷ୍ଟିଂ ହେଉଛି । କେନ୍ଦ୍ର ସରକାର ସାଢ଼େ ୪୪ ଲକ୍ଷ ଆଣ୍ଟିଜେନ କିଟ୍ ଯୋଗାଇ ଦେଇଛନ୍ତି । ରାଜ୍ୟରେ ୬୫ ଲକ୍ଷ ୬୮ ହଜାର ଲୋକଙ୍କୁ ଟିକା ଦିଆଗଲାଣି । ଏଥିରୁ ୬୪ ଲକ୍ଷ ଲୋକଙ୍କୁ ମାଗଣା ଟିକା ଦିଆଯାଇଛି । ଯେଉଁମାନେ ଟିକା ନେଇଛନ୍ତି, ସେମାନେ କୋଓ୍ୱିନ ସାର୍ଟିଫିକେଟ ରଖନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟିକା ସାର୍ଟିଫିକେଟରୁ କିଛି ଉପକାର ମିଳିବ ନାହିଁ । ତେବେ କାହାକୁ ଦୋଷ ନ ଦେଇ ମିଳିମିଶି କରୋନା ବିରୋଧରେ ଲଢ଼େଇ କରିବା ବୋଲି ଗୋଲକ ମହାପାତ୍ର କହିଛନ୍ତି ।

You might also like