ଅମାନିଆ ଗାଡି ଚାଳକଙ୍କୁ ଜଗିବ କ୍ଲୋଜସର୍କିଟ୍ କ୍ୟାମେରା

ରାମେଶ୍ୱରରୁ ପାଣିକୋଇଲି ପର୍ଯ୍ୟନ୍ତ ଲାଗିବ ସିସିଟିଭି, ଖର୍ଚ୍ଚ ହେବ ୧୫ କୋଟି ଟଙ୍କା

ଭୁବନେଶ୍ୱର( ଅତୁଲ୍ୟ ବାଉତ) : ଜାତୀୟ ରାଜପଥରେ ଅମାନିଆ ଗାଡି ଚାଳକଙ୍କୁ ଜଗିବ କ୍ଲୋଜସର୍କିଟ୍ କ୍ୟାମେରା । ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଠାରୁ ଯାଜପୁରର ପାଣିକୋଇଲି ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲଗାଯିବ । ଏନ୍ଏଚର ପ୍ରତି ୪ରୁ ୫ କିଲୋମିଟର ମଧ୍ୟରେ ଏହି କ୍ୟାମେରା ଲଗାଯିବ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର ।

ପରିବହନ କମିଶନର ସଂଜୀବ ପଣ୍ଡା କହିଛନ୍ତି,  ଏଥିପାଇଁ ଟେଣ୍ଡର ଆବେଦନ ଶେଷ ହୋଇଛି । ୩୨ ଜଣ ଟେଣ୍ଡର ଆବେଦନ କରିଛନ୍ତି । ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ସିସିଟିଭି ଲଗାଇବା କାମ ଆରମ୍ଭ ହେବ । ଏହାଦ୍ୱାରା ଦ୍ରୁତଗତି, ନକଲି ନମ୍ବର ପ୍ଲେଟଧାରୀଙ୍କୁ ଚିହ୍ନଟ କରାଯାଇପାରିବ। ପବ୍ଲିକ ସର୍ଭିସ ଯାନରେ ଜିପିଏସ୍ ବ୍ୟବସ୍ଥା ବାଧ୍ୟତାମୂଳକ ନିୟମ ରହିଛି । ଏହାକୁ କଡାକଡି କରିବାକୁ ଭେଇକିଲ୍ ଲୋକେସନ ଟ୍ରାକିଂ ସିଷ୍ଟମ ଲାଗୁ କରାଯିବ  । ତେବେ ଏଥିପାଇଁ ଖର୍ଚ୍ଚ ହେବ ୧୫ କୋଟି ଟଙ୍କା ।  ଏହି ବ୍ୟବସ୍ଥାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ଏହି ବ୍ୟବସ୍ଥା ଦ୍ୱାରା ଗାଡିର ଲୋକେସନ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖାଯାଇ ପାରିବ  ।

ସାରା ରାଜ୍ୟରେ ଆଜି ଠାରୁ ସଡ଼କ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ ଦୁର୍ଘଟଣା କମାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପରିବହନ କମିଶନର। କରୋନା ପାଇଁ ହୋଇଥିବା  ଲକଡାଉନ୍‌ରେ ଦୁର୍ଘଟଣା ହାର କମିଥିବା ବେଳେ ସେପ୍ଟେମ୍ବର, ଅକ୍ଟୋବରରେ କିନ୍ତୁ ବଢ଼ିଚାଲିଲା ଦୁର୍ଘଟଣା । ଫଳରେ ନଭେମ୍ବର ଓ ଡିସେମ୍ବରରେ ଚେକିଂକୁ କଡ଼ାକଡ଼ି କରାଯିବା ପରେ ଦୁର୍ଘଟଣା ହାର କମିଛି । ଆଗାମୀ ସମୟରେ ଦୁର୍ଘଟଣା ହାରକୁ ଆହରି ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପରିବହନ କମିଶନର ।

ସେପଟେ ଆଜିଠୁ ଆସନ୍ତା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ସଡ଼କ ସୁରକ୍ଷା ମାସ  । ଭୁବନେଶ୍ୱରରେ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଓଡ଼ିଶା ରୋଡ୍ ସେଫଟି ସୋସାଇଟି ଏବଂ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟା ଳୟ-୨ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଏକ ସଡକ ସୁରକ୍ଷା ରଥର ଶୁଭାରମ୍ଭ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  । ଏହି ରଥ ରାଜଧାନୀର ବିଭିନ୍ନ ଅଂଚଳ ବୁଲି ସଚେତନ କରିବ ।

ପଢନ୍ତୁ ଆଜିର ମୁଖ୍ୟ ପାଞ୍ଚୋଟି ଖବର

ଦୀର୍ଘ ମାସେ ତମାମ ସହରର ବିଭିନ୍ନ ଅଂଚଳରେ ଲୋକଙ୍କୁ ସଚେତନ କରିବ ।  ସଡ଼କରେ ସୁରକ୍ଷିତ ଗାଡି ଚାଳନା, ଗାଡିଚାଳନା ସମୟରେ ଦୁର୍ଘଟଣାକୁ ଏଡାଇବା ନେଇ ଲୋକଙ୍କୁ ସଚେତନ କରାଯାଉଛି  । ଦ୍ରୁତଗତିରେ ଗାଡି ନଚଳାଇବାକୁ ପରାମର୍ଶ ସହ ହେଲମେଟ୍ ପିନ୍ଧିବା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି । ମଦ୍ୟପାନ ନକରି ଗାଡି ଚଳାଇବା ସହ ଗାଡି ଚଳାଇବାବେଳେ ଟ୍ରାଫିକ ନିୟମର ପାଳନ କରିବାକୁ ସଚେତନ କରାଯାଉଛି ।

You might also like