ଅଧାରୁ ଅଧିକ ଭ୍ୟାନ୍‌ରେ ସିସିଟିଭି ଅଚଳ

ଭୁବନେଶ୍ୱର : ଅପରାଧ ରୋକିବାରେ ଅନେକ ସମୟରେ କମିଶନରେଟ୍‌ ପୁଲିସର ପିସିଆର ଭ୍ୟାନ୍‌ ସହାୟକ ହେଉଛି। ଏଭଳି ଏକ ଲୁଟ୍ ଗ୍ୟାଙ୍ଗ୍‌କୁ ଗୁରୁବାର ରାତିରେ ଧରି ପୁରସ୍କୃତ ହୋଇଛନ୍ତି ପିସିଆର ଷ୍ଟାଫ୍। ତେବେ ପୁଲିସ ବ୍ୟବହାର କରୁଥିବା ଏହି ପିସିଆର୍‌ର ସିସିଟିଭି ଅଚଳ। କେବଳ ଏହି ଗୋଟିକ ନୁହଁ, କମିଶନରେଟ୍‌ ପୁଲିସର ଅଧିକାଂଶ ପିସିଆର ଭ୍ୟାନ୍‌ରେ ସିସିଟିଭି ଅଚଳ ହୋଇ ପଡିଛି।

ଅପ୍ରୀତିକର ପରିସ୍ଥିତିରେ ସିସିଟିଭି ଜରିଆରେ ଫୁଟେଜ୍‌ ସଂଗ୍ରହ ପାଇଁ ପିସିଆରରେ ଏହି ବ୍ୟବସ୍ଥା କରାଯାଇଥିଲା। ହେଲେ କମିଶନରେଟ୍‌ ପିସିଆର ଭ୍ୟାନ୍‌ରେ ଲାଗିଥିବା ସିସିଟିଭି ଏବେ କୋମାକୁ ଚାଲିଯାଇଛି। ୩୫ଟି ପିସିଆର ଭ୍ୟାନ୍‌ରୁ ମାତ୍ର ହାତ ଗଣତି ପିସିଆର୍‌ରେ କାମ କରୁଛି ସିସିଟିଭି ।

ବର୍ତ୍ତମାନ ରାଜଧାନୀରେ ୩୫ଟି ପିସିଆର ଭ୍ୟାନ୍‌ କାମ କରୁଛି। ୨୦୧୮-୧୯ ବର୍ଷର ରେକର୍ଡ ଅନୁସାରେ,  ଡାଏଲ ୧୦୦ରୁ ୧୪ଲକ୍ଷ କଲ୍‌ ଆସିଥିବା ବେଳେ ତା ଭିତରୁ ୮୨ ହଜାର କଲ୍‌ ଉପରେ ପିସିଆର ଭ୍ୟାନ୍‌ କାମକରିଛି। ୨୩୦୦ ଦୁର୍ଘଟଣା ଜନିତ ମାମଲାରେ ପିସିଆର ଭ୍ୟାନ୍‌ ପହଁଞ୍ଚି ସେବା ଦେଇଛି। ତେବେ ଅଧିକାଂଶ ପିସିଆର୍ ଭ୍ୟାନ୍‌ର ସିସିଟିଭି ଅଚଳକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଏକା ସମୟରେ ପିସିଆର୍ ଭ୍ୟାନ୍‌ରେ ସିସିଟିଭି ଖରାପ ହେଲା କାହିଁକି ?  ଏହି ଅଚଳାବସ୍ଥା ପୁଲିସର କାର୍ଯ୍ୟଧାରାରେ ବାଧା ସୃଷ୍ଟି କରୁନାହିଁ କି ? ବର୍ତ୍ତମାନ ୩୫ଟି ପିସିଆର ଭ୍ୟାନ୍‌ରୁ ମାତ୍ର ୧୦ଟିରେ ସିସିଟିଭି କାମ କରୁଛି।

ଖୁବ୍‌ଶୀଘ୍ର ଆଉ କିଛି ନୂଆ ପିସିଆର ଭ୍ୟାନ୍ ଆଣିବାକୁ ଯୋଜନା କରିଛି କମିଶନରେଟ୍‌ ପୁଲିସ୍‌।

You might also like