ଭୁବନେଶ୍ୱର: ରାଜଧାନୀରେ ସିସିଟିଭି କ୍ୟାମେରା ଲାଗିଛି ହେଲେ ଅଚଳ। ଦିନ ଦ୍ୱିପହରେ ସିସିଟିଭି ସାମ୍ନାରେ ହତ୍ୟାକାଣ୍ଡ ଘଟିଲା। ତେବେ ଫୁଟେଜ୍ ଦେଖିବା ବେଳକୁ ପୋଲିସ ନିରାଶ, କାରଣ ଅଚଳ ସିସିଟିଭିରେ କିଛି ବି ରେକର୍ଡ ହୋଇନି। ଯଦି ସିସିଟିଭି କାମ କରୁଥାଆନ୍ତା ହୁଏତ ହତ୍ୟାକାଣ୍ଡର ଆମୂଳଚୁଳ ଦୃଶ୍ୟ ଏଥିରେ କଏଦ୍ ହୋଇଥାଆନ୍ତା, ଆଉ ଘଟଣା ସଂପର୍କରେ ପୋଲିସକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିପାରିଥାଆନ୍ତା।

ତେବେ କେବଳ ଏହି ସ୍ଥାନ ନୁହେଁ, ସ୍ମାର୍ଟସିଟି ଭୁବନେଶ୍ୱରର ଗଳିକନ୍ଦିର ଶୋଭା ବଢାଉଥିବା ସିସିଟିଭି ମଧ୍ୟରୁ ଅଧିକାଂଶ ଅଚଳ ତଥ୍ୟ କହୁଛି। ସ୍ମାର୍ଟସିଟି ଯୋଜନାରେ ରାଜଧାନୀର ୬୫ଟି ସ୍ଥାନରେ ୨୯୨ଟି ସିସିଟିଭି କ୍ୟାମେରା ଲାଗିଛି। ତେବେ ସେଥିରୁ ମାତ୍ର ୧୨୦ କାମ କରୁଛି। ସେହିପରି କମିଶନରେଟ ପୋଲିସ ପକ୍ଷରୁ ବି ୨୮ ସ୍ଥାନରେ ୧୨୫ଟି ସିସିଟିିଭି ଲଗାଯାଇଥିଲେ ମଧ୍ୟ ସେଥିରୁ ବି ଅନେକ ଅଚଳ ହୋଇପଡିଛି। ସେହିପରି ସ୍ମାର୍ଟସିଟି ଯୋଜନା ଅନ୍ତର୍ଗତ ରାଜଧାନୀରେ ମୋଟ ୧୫୯ ସ୍ଥାନରେ ୫୯୨ ଟି କ୍ୟାମେରା ଲଗାଯିବାର ଥିଲା ମାତ୍ର ଏଯାଏଁ ସେ ଟାର୍ଗେଟ ବି ପୂରଣ ହୋଇପାରିନି।

ଚୋରି, ଡକାୟତି, ଛିନତାଇ ଭଳି ଅପରାଧ ଉପରେ ନଜର ରଖିବା ଦିଗରେ ସିସିଟିଭି ଏକ ଉପଯୋଗୀ ବ୍ୟବସ୍ଥା। ନିକଟରେ ଘଟିଥିବା ବହୁଚର୍ଚ୍ଚିତ ଝରାଫୁଲ ମାମଲାକୁ ଉଦାହରଣ ଭାବେ ନିଆଯାଇପାରେ। ଅଭିଯୁକ୍ତ ମୃତଦେହକୁ ଦୁଇ ଚକିଆ ଯାନରେ ରଖି ଶହେ କିଲୋମିଟର ଯାଇଥିଲେ ବି ଜଣାପଡିନଥିଲା। ମାତ୍ର ଘରୋଇ ସିସିଟିଭି ଫୁଟେଜ୍ ଆଧାରରେ ଅପରାଧୀ ନିକଟରେ ପୋଲିସ ପହଞ୍ଚି ପାରିଥିଲା।

ଆହୁରି ପଢନ୍ତୁ : ହେଲମେଟ ନଥିବାରୁ ଯାଇଛି ୨୩୯୭ ଜୀବନ

ଏଣେ ସହରର ସବୁ ସ୍ଥାନରେ ପୋଲିସ ମୁତୟନ ସମ୍ଭବ ହେଉନଥିବାରୁ ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଅଧିକ ସିସିଟିିଭି ଲଗାଯିବ ଓ ଡ୍ରୋନ୍ ହବ୍ ପ୍ରତିଷ୍ଠା କରାଯିବ ବୋଲି କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସରେ କହିଥିଲେ। ପୋଲିସ କମିଶନର ମାତ୍ର ଏଯାଏଁ ତାର ନାଁଗନ୍ଧ ନାହିଁ। ତେବେ ଅପରାଧୀଙ୍କ ଉପରେ ନଜର ରଖିବାରେ ସିସିଟିଭି ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଭୁବନେଶ୍ୱର ଡିସିପିି ମାନିଛନ୍ତି।

https://www.youtube.com/watch?v=GzPPWjljiM4

ବଡ଼ ବଡ଼ ସହରଗୁଡିକରେ ହଜାର ହଜାର ସଂଖ୍ୟାରେ ସିସିଟିଭି କ୍ୟାମେରା କାମ କରୁଛି। ତେବେ ରାଜଧାନୀର ମାତ୍ର କେତୋଟି ସିସିଟିଭିକୁ କାହିଁକି ଠିକ୍‌ରେ ପରିଚାଳନା କରାଯାଇପାରୁନି, ତାହା ବଡ଼ ପ୍ରଶ୍ନ।

ରିପୋର୍ଟ: ଅବଦୁଲ ଅଜିଜ, ଆଲୋକ ମହାନ୍ତି

Other Stories