ପରୀକ୍ଷା ଉପରେ ଗ୍ରହଣ ଲଗାଇଲା କରୋନା: ଚଳିତଥର ହେବନି ସିବିଏସଇ ଦଶମ ପରୀକ୍ଷା

ପରୀକ୍ଷାରେ ଗ୍ରହଣ ଲଗାଇଲା କରୋନା

  • ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ କରୋନା ଗ୍ରହଣ
  • ଏବର୍ଷ ହେବନି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା
  • ବର୍ତ୍ତମାନ ସ୍ଥିତିରେ ଯୁକ୍ତ ଦୁଇ ଏକଜାମ୍‌ ସ୍ଥଗିତ ରଖିବାକୁ କେନ୍ଦ୍ରର ନିଷ୍ପତ୍ତି
  • ଓଡ଼ିଶା ବୋର୍ଡ ପରୀକ୍ଷା ହେବ କି ନା ରାଜ୍ୟର ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ କରୋନା ଗ୍ରହଣ ଲଗାଇଛି। ଏବର୍ଷ ହେବନି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା। ବର୍ତ୍ତମାନ ପାଇଁ ସ୍ଥଗିତ ରହିବ ଯୁକ୍ତ ଦୁଇ ଏକଜାମ୍‌। ଦେଶରେ କରୋନା ଦ୍ୱିତୀୟ ଲହରର ସୁନାମି ସୃଷ୍ଟି ହୋଇଥିବା ବେଳେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରୁ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଓ୍ୱାଲ ଦଶମ ପରୀକ୍ଷା ବାତିଲ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ରହିବା ନେଇ ଘୋଷଣା କରିଛନ୍ତି। ତେବେ କେନ୍ଦ୍ରର ଏଭଳି ନିଷ୍ପତ୍ତି ପରେ ରାଜ୍ୟ ସରକାର କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଏବେ ତାକୁ ଅପେକ୍ଷା।

କରୋନା ସାଜିଲା ବାଧକ। CBSE ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ସ୍ଥଗିତ ରହିଲା ଦ୍ୱାଦଶ ଏକଜାମ୍‌। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି। ଇଣ୍ଟରନାଲ ଆସେସମେଣ୍ଟ ଆଧାରରେ ଦଶମ ଶ୍ରେଣୀ ପିଲାଙ୍କ ରେଜଲଟ ପ୍ରକାଶ କରାଯିବ। ଯେଉଁ ଛାତ୍ରାଛାତ୍ରୀ ଏହି ବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରିବେ ସେମାନଙ୍କ ପାଇଁ ପରିସ୍ଥିତି ସ୍ୱାଭାବିକ ହେବା ପରେ ଅଫ୍ ଲାଇନ୍ ପରୀକ୍ଷା କରାଯିବ। ତେବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବର୍ତ୍ତମାନ ଲାଗି ସ୍ଥଗିତ ରଖାଯାଇଛି। ଜୁନ୍ ୧ରେ ସ୍ଥିତି ସମୀକ୍ଷା ପରେ କେବେ ପରୀକ୍ଷା ହେବ ସେନେଇ ନିଷ୍ପତ୍ତି ନିଆଯିବ। ପରୀକ୍ଷାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି ସୂଚନା ମିଳିଛି।

ମେ ୪ରୁ ଜୁନ୍ ୧୪ ଯାଏ ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ହୋଇଥାନ୍ତା। ଗତ ଫେବୃଆରୀରେ ଦେଶର ଦୈନିକ ସଂକ୍ରମଣ ମାତ୍ର ୧୫ ହଜାର ଥିବା ବେଳେ, ଏହି ପରୀକ୍ଷା ଅଫ୍ଲାଇନ୍ ଓ ଲିଖିତ ମୋଡରେ ହେବ ବୋଲି ସିବିଏସ୍ଇ ଘୋଷଣା କରିଥିଲା। ମାତ୍ର ଏବେ ଦୈନିକ ସଂକ୍ରମଣ ୨ ଲକ୍ଷ ମୁହାଁ ହୋଇଛି। ପରୀକ୍ଷା ବାତିଲ କିମ୍ବା ସ୍ଥଗିତ ଲାଗି ବିଭିନ୍ନ ମହଲରୁ ଦାବି ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା।

ସଂକ୍ରମଣକୁ ଦେଖି ଏବେ ୧୧ଟି ରାଜ୍ୟରେ ସ୍କୁଲ୍ ବନ୍ଦ ରହିଛି। ଅଫଲାଇନ୍‌ ପରୀକ୍ଷା ହୋଇଥିଲେ, ସ୍କୁଲ ବନ୍ଦ ଥିବା ରାଜ୍ୟର ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହୋଇଥାନ୍ତେ। ସେଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଏସବୁ ଛାତ୍ରଛାତ୍ରୀଙ୍କ ଲାଗି ଆଶ୍ୱସ୍ତିକର ହେବ। ମାତ୍ର ଦଶମ ଶ୍ରେଣୀ ପରୀକ୍ଷାକୁ ସଂପୂର୍ଣ୍ଣ ବାତିଲ କରାଯାଇଥିବାରୁ ମେଧାବୀ ଛାତ୍ରଛାତ୍ରୀଙ୍କ କ୍ୟାରିୟର ପ୍ରଭାବିତ ହୋଇପାରେ। ଚଳିତ ବର୍ଷ ୧୨ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ବେଳେ ୧୯ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥାଆନ୍ତେ। ମାତ୍ର କରୋନା କାଳରେ କିଭଳି ପରୀକ୍ଷା ହେବ ତାକୁ ନେଇ ଉଭୟ ପିଲା ଓ ଅଭିଭାବକ ଚିନ୍ତାରେ ଥିଲେ।

ଏପଟେ ସିବିଏସ୍ଇର ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କଣ ହେଉଛି ଏବେ ତା ଉପରେ ନଜର। ମେ ୩ରୁ ୧୫ ଯାଏ ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ପରୀକ୍ଷା ଓ ମେ ୧୮ରୁ ଜୁନ୍ ୧୨ ଯାଏ ଯୁକ୍ତ ଦୁଇ ପରୀକ୍ଷା କରିବାକୁ ତାରିଖ ଘୋଷଣା ହୋଇଛି। ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କିଛି ଦିନ ତଳେ କହିଥିଲେ। ମାତ୍ର ଓଡ଼ିଶାରେ ବି କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢିଚାଲିଛି। ତେଣୁ ରାଜ୍ୟ ସରକାର ପରୀକ୍ଷା କରାଉଛନ୍ତି ନା ସିବିଏସଇ ଭଳି ବିକଳ୍ପ ବ୍ୟବସ୍ଥା କରୁଛନ୍ତି ଏବେ ତା ଉପରେ ନଜର ରହିଛି ରାଜ୍ୟବାସୀଙ୍କର।

ବଲାଙ୍ଗୀରରୁ ଘଟେଶ୍ୱର ମିଶ୍ର, ଝାରସୁଗୁଡାରୁ ଭାଗିରଥୀ ସାହୁ ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ

You might also like