ଭୁବନେଶ୍ୱର: ପରୀକ୍ଷା ପରିଚାଳନାରେ ଅନିୟମିତତା ଓ ପରୀକ୍ଷା ନ ଦେଇ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ପ୍ରଦାନ ଘଟଣାରେ କେନ୍ଦ୍ରୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ବିଭିନ୍ନ ଷ୍ଟଡି ସେଣ୍ଟରରେ ସିବିଆଇ ଚଢ଼ଉ କରିଛି। ଭୁବନେଶ୍ୱର ସମେତ ଦେଶର ୬ଟି ରାଜ୍ୟରେ ଏହି ଚଢ଼ଉ ହୋଇଛି।
ମଧ୍ୟପ୍ରଦେଶ, ହରିଆଣା, ନୂଆଦିଲ୍ଲୀ, ଆସାମ ଓ ସିକିମରେ ଥିବା ଷ୍ଟଡି ସେଣ୍ଟରରେ ୨ ଦିନ ହେଲା ସିବିଆଇ ଚଢ଼ଉ କରିଛି। ଚଢ଼ଉ ବେଳେ ତଦନ୍ତକାରୀ ସଂସ୍ଥା ହାର୍ଡ ଡିସ୍କ, କମ୍ପ୍ୟୁଟର୍, ଉତ୍ତର ଖାତା, ଫି ପେମେଣ୍ଟ ରସିଦ, ସିଟ୍ ପ୍ଲାନିଂ ଓ ପରୀକ୍ଷା କେନ୍ଦ୍ର ସଂପର୍କିତ ଅନେକ ସୂଚନା ହାସଲ କରିଛି।
ଗତବର୍ଷ ଦଶମ ଓ ଯୁକ୍ତ ୨ ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାପରେ ଗତ ଜୁଲାଇ ୨୩ରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା।